ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ନରଖିବାରୁ ସ୍ତ୍ରୀକୁ ନଦୀରେ ବୁଡ଼ାଇ ହତ୍ୟା କଲା ସ୍ୱାମୀ
ଆଲିଗଡ଼: ସ୍ୱାମୀ ସାଜିଲା ବଇରି। ପବିତ୍ର ସମ୍ପର୍କରେ ଲଗାଇଲା କଳଙ୍କର ଛିଟା। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ନରଖିବାରୁ ସ୍ତ୍ରୀକୁ ନଦୀରେ ବୁଡ଼ାଇ ହତ୍ୟା କରିଛି ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଲିଗଡ଼ରେ ।
ସୂଚନାଅନୁଯାୟୀ, ଗୁରୁବାର ଏହି ଘଟଣା ଘଟିଥିବା ନେଇ ଆଲିଗଡ଼ ପୁଲିସ ସୂଚନା ଦେଇଛି। ଘଟଣା ଜଣାପଡିବା ପରେ ଉଭୟ ସ୍ୱାମୀ ଏବଂ ତାନ୍ତ୍ରିକକୁ ପୁଲିସ ଗିରଫ କରିବା ସହିତ ମହିଳାଙ୍କ ଶବକୁ ନଦୀରୁ ଜବତ କରଛି। ସ୍ୱାମୀ ମନପାଲ ନିଜ ସ୍ତ୍ରୀକୁ ତାନ୍ତ୍ରିକ ସନ୍ଥଦାସ ଦୁର୍ଗା ଦାସଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା। ହେଲେ ସେ ଏହାକୁ ବିରୋଧ କରିଥିଲେ। ଏହା ପରେ ମନପାଲ ତାଙ୍କ ସ୍ତ୍ରୀକୁ ବୁଝାଇ ସୁଝାଇ ନଦୀ ପାଖକୁ ବୁଲାଇ ନେଇଥିଲା ଏବଂ ସୁଯୋଗ ପାଇ ସେଠାରେ ନିଜ ସ୍ତ୍ରୀଙ୍କୁ ନଦୀକୁ ଠେଲି ଦେଇଥିଲା । ଏହାପରେ ତାଙ୍କୁ ପାଣିରେ ବୁଡ଼ାଇ ମାରି ଦେଇଥିଲା।
ଏହି ଘଟଣାକୁ ନିଜ ଆଖିରେ ଦେଖିଥିଲା ପୁଅ ଓ ଚିତ୍କାର କରିଥିଲା। କିନ୍ତୁ ମନପାଲର ଧମକରେ ସେ ଚୁପ୍ ହୋଇଯାଇଥିଲା। ଏହି ଘଟଣା ବାବଦରେ କହିଲେ ମାରି ଦେବ ବୋଲି ପୁଅକୁ ଧମକ ଦେଇଥିଲା ମନପାଲ। ଏହି କାଣ୍ଡ ଘଟାବା ପରେ ମନପାଲ ଓ ତାନ୍ତ୍ରିକ ଦୁର୍ଗାଦାସ ନଦୀ ପାରି ହୋଇ ପଡ଼ୋଶୀ ବଦାୟୁନ ଜିଲ୍ଲାକୁ ପଳାଇଥିଲେ।
ମୃତ ମହିଳାଙ୍କ ଭାଇ ରାଜେଶ କୁମାର ଦଡ଼ନ ଥାନାରେ ଏତଲା ଦେବା ପରେ ପୁଲିସ୍ ମନପାଲ ଓ ତାନ୍ତ୍ରିକକୁ ବଦାୟୁନ ଜିଲ୍ଲାରୁ ଗିରଫ କରିଛି। ରାଜେଶ କୁମାର କହିଛନ୍ତି ଯେ ତାଙ୍କ ଭଉଣୀ ଦୁଇ ଦିନ ତଳେ ମନପାଲ ବାବଦରେ ସବୁ କଥା ତାଙ୍କୁ କହିଥିଲେ। ହେଲେ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ।