ମହାରାଷ୍ଟ୍ର: ରାସ୍ତା ଖରାପ ଯୋଗୁ ଆସିଲାନି ଆମ୍ବୁଲାନ୍ସ, ବେମାର ସ୍ତ୍ରୀକୁ କାନ୍ଧରେ ପକାଇ ଡାକ୍ତରଖାନା ନେଇ ଯାଉଥିଲେ ସ୍ୱାମୀ, ହେଲେ ରାସ୍ତାରେ ହିଁ ଚାଲିଗଲା ପ୍ରାଣ

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତି ଗଲାଣି, ହେଲେ ଆଜି ବି ଭାରତର କେତେକ ଅଞ୍ଚଳ ଏତେ ପଛୁଆ ରହିଛି ଯେ ଏଠାରେ ଆବଶ୍ୟକ ସୁବିଧା ସୁଦ୍ଧା ଲୋକଙ୍କ ପାଖରେ ପହଞ୍ଚିପାରି ନାହିଁ। ଏମିତି ହିଁ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନନ୍ଦୁରବାର ଅଞ୍ଚଳରେ। ଏଠାରେ ରାସ୍ତା ଖରାପ ଥିବା କାରଣରୁ ସ୍ୱାମୀ ନିଜ ବେମାର ସ୍ତ୍ରୀକୁ କାନ୍ଧରେ ପକାଇ ଡାକ୍ତରଖାନା ନେଇଯାଉଥିଲେ। କିନ୍ତୁ ଠିକ୍‌ ସମୟରେ ପହଞ୍ଚି ନ ପାରିବାରୁ ରାସ୍ତାରେ ହିଁ ସ୍ତ୍ରୀ ଆଖି ବୁଜି ଦେଇଥିଲେ।

ଘଟଣା ଘଟିଛି ୯ ସେପ୍ଟେମ୍ବରରେ। ନନ୍ଦୁରବାର ଜିଲା ତଲୋଦାର ଚାନ୍ଦସ୍‌ଓ୍ଵାଲି ଆଦିବାସୀ ଗାଁରେ ରହୁଥିବା ସିଦଲିବାଈଙ୍କ ପେଟରେ ହଠାତ୍‌ ଯନ୍ତ୍ରଣା ହେବାକୁ ଲାଗିଥିଲା। ଗାଁ ଲୋକେ ତାଙ୍କୁ ବଡ଼ ହସ୍ପିଟାଲ ନେଇଯିବାକୁ ପରାମର୍ଶ ଦେଇଥିଲେ। ହସ୍ପିଟାଲ ଗାଁଠାରୁ ପାଖାପାଖି ୩୦ କିଲୋମିଟର ଦୂରରେ ଥିଲା। ଖରାପ ପାଗ ସାଙ୍ଗକୁ ରାସ୍ତା ବି ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସି ପାରି ନ ଥିଲା। ଏଭଳି ସ୍ଥିତିରେ ସ୍ୱାମୀ ସ୍କୁଟରରେ ହିଁ ସ୍ତ୍ରୀକୁ ନେଇଯିବାକୁ ନିଷ୍ପତ୍ତି ନେଇଥିଲେ।

ହେଲେ କିଛି ବାଟ ଯିବା ପରେ ପାହାଡ଼ରୁ ଭୂସ୍ଖଳନ ଯୋଗୁ ଖଣ୍ଡବିଖଣ୍ଡିତ ପଥରରେ ରାସ୍ତା ଜାମ୍‌ ହୋଇଯାଇଥିଲା। ତେଣୁ ସ୍କୁଟରରେ ଡାକ୍ତରଖାନା ଯିବା ସମ୍ଭବ ନ ଥିଲା। ଏମିତିରେ ସ୍ୱାମୀ ନିଜ କାନ୍ଧରେ ସ୍ତ୍ରୀକୁ ଡାକ୍ତରଖାନା ବୁହାଇ ନେଇଯିବାକୁ ନିଷ୍ପତ୍ତି ନେଇଥିଲେ। ସ୍ୱାମୀ ଜାନ ସିଂ କାନ୍ଧରେ ସ୍ତ୍ରୀକୁ ଲଦି ମାତ୍ର କିଛି ହିଁ ଦୂର ଚାଲିପାରିଥିଲେ। ଏପଟେ ସ୍ତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଆଉ ଏହାରି ଭିତରେ ତାଙ୍କ ପ୍ରାଣ ଚାଲିଯାଇଥିଲା। ଏହି ହୃଦୟବିଦାରକ ଦୃଶ୍ୟକୁ କିଛି ଲୋକ ନିଜ ମୋବାଇଲରେ କଏଦ କରି ନେଇଥିଲେ।

ଜାନ ସିଂ ଶତ ଚେଷ୍ଟା ସତ୍ତ୍ୱେ ସ୍ତ୍ରୀ ସିଦଲିବାଈଙ୍କୁ ବଞ୍ଚାଇ ପାରି ନ ଥିଲେ। ସେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ଆଖି ବୁଜି ଦେଇଥିଲେ। ଏମିତି ସ୍ଥିତିରେ ଅସହାୟ ସ୍ୱାମୀ ସେହି ରାସ୍ତା ଉପରେ ହିଁ ସ୍ତ୍ରୀର ମୃତଦେହକୁ ରଖି ଜୋର୍‌ରେ କାନ୍ଦିବାକୁ ଲାଗିଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ କିଛି ଲୋକଙ୍କ ଆଖିରେ ବି ଲୁହ ଆଣି ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.