ଯୁଦ୍ଧ ଭିତରେ ବି ସଫଳ ହେଲା ପ୍ରେମ! ହାଇଦ୍ରାବାଦର ଯୁବକ ୟୁକ୍ରେନ ଯୁବତୀଙ୍କୁ କଲେ ବିବାହ

ୟୁକ୍ରେନରେ ସଙ୍କଟ ପରିସ୍ଥିତି ଭିତରେ ଜଣେ ଇଣ୍ଡୋ-ୟୁକ୍ରେନ ଦମ୍ପତି ଯୁଦ୍ଧରୁ ବର୍ତ୍ତି ଯାଇ ଏକତ୍ର ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି। ସେମାନେ ୟୁକ୍ରେନରେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହାଇଦ୍ରାବାଦରେ ଦୁହିଁଙ୍କର ରିସେପ୍‌ସନ୍ସ ସମ୍ପନ୍ନ ହୋଇଛି। ଏମିତି ସମୟରେ ଯେତେବେଳେ ସଂଘର୍ଷ ସେମାନଙ୍କ ଦେଶକୁ ନିଜ କବଳକୁ ନେଇ ଯାଇଥିଲା, ସେହି ସମୟରେ ଜଣେ ୟୁକ୍ରେନ ଯୁବତୀ ହାଇଦ୍ରାବାଦର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଲ୍ୟୁବୋଭ ନାମ୍ନୀ ଏହି ଯୁବତୀ ହାଇଦ୍ରାବାଦର ପ୍ରତୀକଙ୍କୁ ଭଲପାଇ ବସିଥିଲେ।

ଗତ ସପ୍ତାହରେ ଭାରତ ଆସିବା ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦମ୍ପତି ସୋମବାର ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଏକ ରିସେପ୍‌ସନ୍ସ ପାର୍ଟି ଦେଇଥିଲେ। ସମାରୋହରେ ସେମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ଶପଥ ଗ୍ରହଣ କରିଥିଲେ। ସେମାନଙ୍କ ପ୍ରେମ କାହାଣୀ ଠିକ୍‌ ବଲିଉଡ୍‌ ଫିଲ୍ମ ପରି। ଏହା ପ୍ରଥମ ଦେଖାରେ ପ୍ରେମ ଥିଲା। ଅର୍ଥାତ୍‌ ପ୍ରଥମ ନଜରରୁ ହିଁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ଲ୍ୟୁବୋଭ କିଛି ମାସ ପୂର୍ବରୁ ୟୁକ୍ରେନରେ ପ୍ରତୀକଙ୍କୁ ଭେଟିଥିଲେ, ସେତେବେଳେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ। ସେମାନେ ନିଜ ବାକି ଜୀବନ ଏକାଠି ବିତାଇବାକୁ ନିଷ୍ପତ୍ତି ନେଇଥିଲେ।

ଯଦିଓ ରୁଷର ଆକ୍ରମଣ ସେମାନଙ୍କ ଯୋଜନାକୁ ବିଗାଡ଼ି ଦେଇଥିଲା। ରୁଷ ନିଜ ପଡ଼ୋଶୀ ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପୂର୍ବରୁ ଦମ୍ପତି ୨୩ ଫେବୃଆରୀରେ ୟୁକ୍ରେନରେ ବିବାହ କରିଥିଲେ। ହାଇଦ୍ରାବାଦରେ ପହଞ୍ଚିବାରେ ସଫଳ ହୋଇଥିବା ଏହି ଦମ୍ପତି ଏଠାରେ ରିସେପ୍‌ସନ୍ସ ପାର୍ଟି ଦେଇଥିଲେ। ଏଥିରେ ପ୍ରତୀକଙ୍କର କିଛି ଘନିଷ୍ଠ ସମ୍ପର୍କୀୟ ଏବଂ ସାଙ୍ଗ ସାମିଲ ହୋଇଥିଲେ। ଚିଲ୍‌କୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ରଙ୍ଗରାଜନ୍ ଏହି ସମାରୋହର ଆୟୋଜନ କରିଥିଲେ ଏବଂ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ସେ କହିଛନ୍ତି, ୟୁକ୍ରେନର ପରିସ୍ଥିତି ଯୋଗୁ ବିବାହକୁ ବ୍ୟକ୍ତିଗତ ରଖାଯାଇଥିଲା। ତେବେ ସେ ଏକ ଅନୁରୋଧ କ୍ରମେ ବର, କନ୍ୟାଙ୍କ ବିବରଣୀ ବିଷୟରେ ଖୁଲାସା କରି ନାହାନ୍ତି।

ଏହାରି ଭିତରେ ହାଇଦ୍ରାବାଦ ଉପକଣ୍ଠରେ ଥିବା ଚିଲ୍‌କୁର ବାଲାଜୀ ମନ୍ଦିରର ପୂଜାରୀମାନେ ୟୁକ୍ରେନରେ ଯୁଦ୍ଧ ପରିସମାପ୍ତି ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଛନ୍ତି। ରଙ୍ଗରାଜନ୍ କହିଛନ୍ତି ଯେ ଯୁଦ୍ଧ ଶୀଘ୍ର ସମାପ୍ତ ହେବା ଏବଂ ଶାନ୍ତି ପୁନଃରୁଦ୍ଧାର ପାଇଁ ସେମାନେ ପ୍ରାର୍ଥନା କରୁଛନ୍ତି, କାହିଁକି ନା, ଏହି ସଂଘର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ଦୁଃଖ ପହଞ୍ଚାଇଛି।