ଫୁସଫୁସ ଓ ହାର୍ଟକୁ ନେଇ ଚାଲିଲା ହାଇଦ୍ରାବାଦ ମେଟ୍ରୋ, ମାତ୍ର ୧୩ ମିନିଟରେ ୧୩ କିମି ଯାତ୍ରା କରି ବଞ୍ଚାଇଲେ ବହୁମୂଲ୍ୟ ଜୀବନ

ଏକ ଗ୍ରୀନ କରିଡର ଧରି ଡାକ୍ତରମାନେ ଏକ ମେଟ୍ରୋରେ ବସିଛନ୍ତି । ଏହି ଦୃଶ୍ୟ ଦେଖିଲେ ନିଶ୍ଚୟ କୌଣସି ଫିଲ୍ମ ସୁଟିଂ ହେଲା ଭଳି ମନେ ହେଉଥିବ । କିନ୍ତୁ ଏହା ପଛର କାହାଣୀ ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ୧୩ ମିନିଟରେ ୧୩ କିଲୋମିଟର ଯାତ୍ରା କରି ଏହି ଡାକ୍ତରମାନେ ବଞ୍ଚାଇଛନ୍ତି ଜଣକ ବହୁମୂଲ୍ୟ ଜୀବନ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ୨୦୧୧ ମସିହାର ଫିଲ୍ମ ଟ୍ରାଫିକ ଏବେ ବାସ୍ତବ ଜୀବନରେ ସତ ହୋଇଛି ।

ଏକଦମ୍ କୌଣସି ଫିଲ୍ମ ସିନ୍ ପରି ଗ୍ରୀନ କରିଡରରେ ଫୁସଫୁସ ଓ ହାର୍ଟକୁ ନେଇ ଯାତ୍ରା କରିଥିଲେ ଡାକ୍ତରୀ ଦଳ । ତେବେ ଏକଥା ଶୁଣି ଆପଣମାନେ ଭାବୁଥିବେ ଏ ଘଟଣାରେ ନୂଆ କ’ଣ! ଡାକ୍ତରମାନେ ତ ସବୁବେଳେ ରୋଗୀଙ୍କ ଜୀବନ ବଞ୍ଚାଇଥାନ୍ତି । କିନ୍ତୁ ଏଥର ଏହି ଡାକ୍ତରୀ ଟିମ୍ ଯାତ୍ରା କରିଥିଲେ ମେଟ୍ରୋ ଟ୍ରେନରେ । ଆଉ ମାତ୍ର ୧୩ ମିନିଟରେ ୧୩ କିଲୋମିଟର ଯାତ୍ରା କରି ବଞ୍ଚାଇଥିଲେ ଜଣକ ବହୁମୂଲ୍ୟ ଜୀବନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ ।

ସୂଚନା ଅନୁଯାୟୀ, ହାଇଦ୍ରାବାଦର ଏଲଭି ନଗର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀ ପ୍ରାଣ ହରାଇଥିଲେ । ସେହି ରୋଗୀ ଜଣଙ୍କ ବ୍ରେନ ଡେଡ୍ ହେବା ପରେ ତାଙ୍କ ଫୁସଫୁସ ଓ ହାର୍ଟକୁ ଅନ୍ୟତ୍ର ପ୍ରତିରୋପଣ ପାଇଁ ପରିବାର ଲୋକ ଅନୁମତି ଦେଇଥିଲେ । ଏହି ସମୟରେ ସେଠାକାର ଅନ୍ୟ ଏକ ହସପିଟାଲରେ ଥିବା ଆଉ ଜଣେ ରୋଗୀ ପ୍ରତିରୋପଣ ପାଇଁ ଅପେକ୍ଷା କରିଥିଲେ । ତେଣୁ ତୁରନ୍ତ ଏକ ଡାକ୍ତରୀ ଦଳ ଗଠନ କରାଯିବା ସହିତ ଫୁସଫୁସ ଓ ହାର୍ଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ଏହି ପ୍ରତିରୋପଣ ପାଇଁ ୧୩ଟି ଷ୍ଟେସନ ଅତିକ୍ରମ କରି ଯିବାକୁ ଥିବା ବେଳେ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥା ଉପରେ ଭରସା ନ କରି ମେଟ୍ରୋର ସାହାଯ୍ୟ ନେଇଥିଲେ ଡାକ୍ତରୀ ଟିମ୍ । ହାଇଦ୍ରାବାଦ ମେଟ୍ରୋ ରେଳ କତ୍ତୃପକ୍ଷ, ମେଡିକାଲ୍ ପ୍ରଫେସନାଲ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲୋଡା ଯାଇଥିବା ବେଳେ ମାତ୍ର ୧୩ ମିନିଟରେ ୧୩ କିମି ରାସ୍ତା ଅତିକ୍ରମ କରି ପାରିଥିଲା ଡାକ୍ତରୀ ଟିମ୍ । ତେବେ ଏଥିପାଇଁ ହାଇଦ୍ରାବାଦ ମେଟ୍ରୋ ଏକ ଉତ୍ସର୍ଗୀକୃତ ଗ୍ରୀନ କରିଡର ସୃଷ୍ଟି କରିଥିଲା ।

ଯାହାଫଳରେ ହାର୍ଟ ଓ ଫୁସଫୁସକୁ ମାତ୍ର ୧୩ ମିନିଟ ସମୟରେ ୧୩ କିଲୋମିଟର ଓ ୧୩ଟି ଷ୍ଟେସନ ଅତିକ୍ରମ କରି ଠିକ୍ ସମୟରେ ପହଞ୍ଚାଇଥିଲେ ରୋଗୀଙ୍କ ପାଖରେ । ତେବେ ଦର୍ଶକବନ୍ଧୁ କହିବାକୁ ଚାହିଁବୁ, ମୁମ୍ବାଇ ଲୋକାଲ ପରି ମେଟ୍ରୋ ମଧ୍ୟ ବର୍ତ୍ତମାନ ଦେଶର ଲାଇଫ୍ ଲାଇନ୍ ପାଲଟିଛି । ମେଟ୍ରୋ ରେଳ ସେବା କେବଳ ଲୋକଙ୍କୁ ନିରାପଦରେ ପରିବହନ କରିବାର ସୁବିଧା ହେତୁ ନୁହେଁ ବରଂ ରୋଗୀଙ୍କ ଜୀବନ ରକ୍ଷା କରିବାରେ ଏହାର ଅବଦାନ ହେତୁ ଆଜି ‘ଲାଇଫ୍ ଲାଇନ୍’ର ଟ୍ୟାଗ୍ ଅର୍ଜନ କରିଛି ।

You might also like