ଦର୍ଜୀ ସ୍ୱାମୀର ହାତ ସିଲେଇ ବ୍ଲାଉଜ ଫିଟିଙ୍ଗ୍‌ ହେଲାନି ବୋଲି… ସ୍ତ୍ରୀ ନେଲା ଚରମ ନିଷ୍ପତ୍ତି!

ହାଇଦ୍ରାବାଦର ଅମ୍ବରପେଟରେ ରହୁଥିବା ଜଣେ ମହିଳା ସାମାନ୍ୟ ବ୍ଲାଉଜ୍‌କୁ ନେଇ ସ୍ୱାମୀଙ୍କ ସହିତ ହୋଇଥିବା ଝଗଡ଼ା ପରେ ନିଜେ ଆତ୍ମହତ୍ୟା କରି ନେଇଛନ୍ତି। ମୃତା ମହିଳାଙ୍କ ନାଁ ବିଜୟାଲକ୍ଷ୍ମୀ। ଖବର ମୁତାବକ, ଦର୍ଜୀ କାମ କରୁଥିବା ଶ୍ରୀନିବାସ ନାମକ ବ୍ୟକ୍ତି ସ୍ତ୍ରୀ ବିଜୟାଲକ୍ଷ୍ମୀଙ୍କ ପାଇଁ ଏକ ବ୍ଲାଉଜ୍‌ ସିଲାଇ ଥିଲେ। କିନ୍ତୁ ତାହା ବିଜୟାଲକ୍ଷ୍ମୀଙ୍କୁ ପସନ୍ଦ ଆସି ନ ଥିଲା। ତେଣୁ ସେ ବ୍ଲାଉଜକୁ ଖୋଲି ପୁଣିଥରେ ସିଲେଇ କରିବାକୁ କହିଥିଲେ। ସମୟ ନ ଥିବା କହି ଶ୍ରୀନିବାସ ମନା କରି ଦେଇଥିଲେ। ଏହାର କିଛି ଘଣ୍ଟା ପରେ ହିଁ ବିଜୟାଲକ୍ଷ୍ମୀ ଆତ୍ମହତ୍ୟା କରିଥିଲେ। ଘଟଣା ଘଟିଛି ଗୋଲଙ୍କା ତିରୁମାଲା ନଗରରେ। ପୋଲିସ ସୂଚନା ମୁତାବକ, ଶ୍ରୀନିବାସ ଶାଢି ଓ ବ୍ଲାଉଜ କପଡ଼ା ବିକ୍ରି କରିବା ସହିତ ଘରେ ସିଲେଇ କାମ ମଧ୍ୟ କରି ଥାଆନ୍ତି। ବିଜୟାଲକ୍ଷ୍ମୀ ଓ ଶ୍ରୀନିବାସଙ୍କର ଦୁଇ ସନ୍ତାନ ଅଛନ୍ତି। ସେମାନେ ସ୍କୁଲରେ ପାଠ ପଢ଼ୁଛନ୍ତି।

ବ୍ଲାଉଜ ପାଇଁ ହୋଇଥିଲା ଝଗଡ଼ା

ଗତ ଶନିବାର ଶ୍ରୀନିବାସ ନିଜ ସ୍ତ୍ରୀଙ୍କ ପାଇଁ ଏକ ବ୍ଲାଉଜ୍‌ ସିଲେଇ କରିଥିଲେ, କିନ୍ତୁ ତାହା ବିଜୟାଲକ୍ଷ୍ମୀଙ୍କୁ ପସନ୍ଦ ଆସି ନ ଥିଲା। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସ୍ୱାମୀଙ୍କ ଉପରେ ରାଗିଥିବା ୩୫ ବର୍ଷୀୟା ବିଜୟାଲକ୍ଷ୍ମୀ ପିଲାମାନେ ସ୍କୁଲ ଯିବା ପରେ ନିଜକୁ ବେଡ୍‌ରୁମରେ ଲକ୍‌ କରି ନେଇଥିଲେ। ଏହାରି ଭିତରେ ଶ୍ରୀନିବାସ ମଧ୍ୟ ନିଜ କାମରେ ବାହାରକୁ ଚାଲି ଯାଇଥିଲେ। ପିଲାମାନେ ଯେତେବେଳେ ସ୍କୁଲରୁ ଫେରିଲେ, ତ ସେମାନେ ମା’ ଶୋଇଥିବା ଘରର କବାଟ ବାଡ଼େଇ ଥିଲେ। କିନ୍ତୁ କେହି କବାଟ ଖୋଲି ନ ଥିଲେ। ରୁମ୍‌ ବାହାରେ ଛିଡ଼ା ହୋଇଥିବା ପିଲାମାନେ ବଡ଼ ପାଟିରେ ମା’ ମା’ ଡାକୁଥିଲେ, ତଥାପି ସେପଟୁ କୌଣସି ବି ଉତ୍ତର ମିଳି ନ ଥିଲା। ଏହାପରେ ପିଲାମାନେ ତୁରନ୍ତ ଏ ନେଇ ନିଜ ବାପାଙ୍କୁ ଖବର ଦେଇଥିଲେ।

ପିଲାଙ୍କଠାରୁ ଖବର ପାଇ ଶ୍ରୀନିବାସ ଘରେ ପହଞ୍ଚିଥିଲେ। ଅନେକ ବାର ଡାକିବା ପରେ ମଧ୍ୟ ସ୍ତ୍ରୀ କବାଟ ଖୋଲି ନ ଥିଲେ। ଯେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲା, ତ ଶ୍ରୀନିବାସ କବାଟ ଭାଙ୍ଗି ଦେଇଥିଲେ ଏବଂ ଭିତରେ ବିଜୟାଲକ୍ଷ୍ମୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ପୋଲିସ ଅଧିକାରୀ ମୃତା ମହିଳାଙ୍କ ସ୍ୱାମୀଙ୍କ ବୟାନ ନେଇଛନ୍ତି। ଏଥି ସହିତ ଉପସ୍ଥିତ ଲୋକଙ୍କଠାରୁ ମଧ୍ୟ ସ୍ୱାମୀ, ସ୍ତ୍ରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.