ହୁତୁହୁତୁ ହୋଇ ଜଳିଲା ବାୟୁସେନାର ମିଗ୍‌-୨୯ ବିମାନ, ପାଇଲଟ ସୁରକ୍ଷିତ

ରାଜସ୍ଥାନର ବାଡମେର ବାୟୁସେନାର ମିଗ୍-୨୯ ବିମାନ ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ବାଡମେର ସେକଟରର ଉତରଲାଇ ଏୟାରବେସ ନିକଟରେ ଏହି ଦୁର୍ଘଟଣା ଘଟିଛି । କ୍ରାଶ୍ ହେବା ପରେ ବିମାନଟି ହୁତୁହୁତୁ ହୋଇ ଜଳି ଯାଇଛି । ଘଟଣାରେ କିନ୍ତୁ ପାଇଲଟ ଜଣକ ସୁରକ୍ଷିତ ରହିଛନ୍ତି । ତେବେ ବୈଷୟିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ସହ ଏୟାରଫୋର୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଇଲଟଙ୍କୁ ଉଦ୍ଧାର କରିଛନ୍ତି ।

ବାୟୁସେନା ବିମାନ ମିଗ୍-୨୯ ଉତ୍ତରଲାଇ ଅଞ୍ଚଳରୁ ଗତକାଲି ଉଡାଣ ଭରିଥିଲା । ତେବେ ରାତ୍ରୀକାଳୀନ ରୁଟିନ୍ ଟ୍ରେନିଂ ମିଶନ ବେଳେ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ପ୍ରାୟ ରାତି ୧୦ଟା ବେଳେ ବିମାନଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟ୍ ଜଣକ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି । ହେଲେ ବିମାନଟି ପୂରା ଜଳି ପଡି ପାଉଁଶ ହୋଇଯାଇଛି । ତେବେ ଏହା ପୂର୍ବରୁ ମିଗ-୨୯ ବିମାନ ଦୁର୍ଘଟଣା ଖବର ଶୁଣିବାକୁ ମିଳିଛି ।

ପୋଲିସ ଅଧୀକ୍ଷକ ନରେନ୍ଦ୍ର ମୀନା କହିଛନ୍ତି, ‘ରାତିରେ ବାଡମେରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା ଏକ ଜନବହୁଳ ଅଞ୍ଚଳଠାରୁ ଦୂରରେ ଘଟିଛି ।’ ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।