ନିର୍ବନ୍ଧର ୧୦ ଦିନ ପରେ ଚାଲିଗଲେ ବାୟୁସେନା ପାଇଲଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ

ସରିଥିଲା ନିର୍ବନ୍ଧ ଆଉ କିଛି ଦିନ ପରେ ହୋଇଥାଆନ୍ତା ବାହାଘର । ହାତରେ ମେହେନ୍ଦି ପାଦରେ ଅଳତା ମଥାରେ ଓଢ଼ଣୀ ଦେଇ ସାଜି ଥାଆନ୍ତେ ନବବଧୂ । କେତେ ଆଶା କେତେ ସ୍ବପ୍ନ ଦେଖିଥିଲେ । ସ୍ବାମୀ ହାତ ଧରି ଶାଶୂଘରକୁ ଯାଇଥାଆନ୍ତେ ସମସ୍ତଙ୍କୁ ନିଜର କରି ନୂଆ ସଂସାର ଗଢ଼ିଥାଆନ୍ତେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ବାହାଘର ପୂର୍ବରୁ ଘଟିଗଲା ଏତେ ବଡ଼ ଅଘଟଣ । ପୁରା ପରିବାର ହୋଇଯାଇଛନ୍ତି ସ୍ତବ୍ଧ । କାନ୍ଦ ବୋବାଳିରେ ଫଶଟି ପଡ଼ୁଛି ଅଞ୍ଚଳ ।
ଭାବି ପତ୍ନୀ ସାନିଆ କାନ୍ଦି କାନ୍ଦି କହୁଥିଲେ ‘ବେବି, ତୁମେ ମୋତେ ନେବାକୁ ଆସିବ ନାହିଁ । ତୁମେ କଥା ଦେଇଥିଲ ମୋତେ ଆସି ନେବ ବୋଲି ।’ ଏହି ସମୟରେ ସିଦ୍ଧାର୍ଥଙ୍କ ମୁହଁକୁ ଦେଖିବା ଲାଗି ସେ ବାରମ୍ବାର ନିବେଦନ କରିଥିଲେ। ସାନିଆଙ୍କ ଏପରି ଭାବବିହ୍ବଳତାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ଯମରେ ପ୍ରସାରିତ ହୋଇଛି ।
ତେବେ ଗତ ମାର୍ଚ୍ଚରେ ହୋଇଥିଲା ସାନିଆଙ୍କ ସହିତ ସିଦ୍ଧାର୍ଥଙ୍କର ନିର୍ବନ୍ଧ । ସିଦ୍ଧାର୍ଥଙ୍କ ବୟସ ୨୮ ବର୍ଷ । ଆସନ୍ତା ନଭେମ୍ବର ୨ରେ ସେମାନଙ୍କର ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମାର୍ଚ୍ଚ ୩୧ରେ ସିଦ୍ଧାର୍ଥ ଘରୁ କର୍ମକ୍ଷେତ୍ରକୁ ଫେରିଥିଲେ । ହେଲେ ଏପ୍ରିଲ ୨ରେ ଗୁଜରାଟର ଜାମନଗରରେ ଯୁଦ୍ଧବିମାନ ପ୍ରଶିକ୍ଷଣ ଦେବା ସମୟରେ ସିଦ୍ଧାର୍ଥ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ମୃତ୍ୟୁର ୧୦ପୂର୍ବରୁ ନିର୍ବନ୍ଧ ହୋଇଥିଲା ବୋଲି କୁହାଯାଉଛି । ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ସମୟରେ ସହିଦ ପାଇଲଟଙ୍କୁ ପରିବାର ଓ ପ୍ରିୟଜନଙ୍କ ସହିତ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ, ପୂର୍ବତନ ସୈନିକ, ବାୟୁସେନା ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ସମୟରେ ତାଙ୍କ ଭାବୀ ପତ୍ନୀ ସାନିଆଙ୍କ ଭାବବିହ୍ଵଳ କାନ୍ଦ ସମସ୍ତଙ୍କୁ ଅଧୀର କରିଥିଲା।
ତେବେ ଜାଗୁଆର ଯୁଦ୍ଧବିମାନ ପ୍ରଶିକ୍ଷଣ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ସିଦ୍ଧାର୍ଥ ତାଙ୍କ ସହଯୋଗୀ ପାଇଲଟଙ୍କୁ ବିମାନରୁ ବାହାରିଯିବାକୁ ସୁଯୋଗ ଦେଇଥିଲେ। ମାତ୍ର ତ୍ରୁଟିପୂର୍ଣ୍ଣ ବିମାନଟି ଜନବସତିରେ ପଡିବାର ଆଶଙ୍କା କରି ସେ ଏହାକୁ ଦୂର ସ୍ଥାନକୁ ନେବାକୁ ଚେଷ୍ଟା କରିଥିଲେ । ସାଧାରଣ ଜନତାଙ୍କ ଜୀବନ ରକ୍ଷା ପାଇଁ ସେ ବିମାନରୁ ସଙ୍ଗେ ସଙ୍ଗେ ବାହାରି ନଥିଲେ । ଫଳରେ ନିଜେ ବିମାନ ସହିତ ଜଳିଯାଇ ପ୍ରାଣ ହରାଇଥିଲେ। ସିଦ୍ଧାର୍ଥଙ୍କ ବାପା ସୁଶୀଲ ଯାଦବ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ । ଏପରିକି ତାଙ୍କ ଜେଜେ ଓ ଅଣଜେଜେ ମଧ୍ୟ ସୁରକ୍ଷାବାହିନୀରେ କାର୍ଯ୍ୟ କରିଥିଲେ । ଏନଡିଏରୁ ଉତ୍ତୀର୍ଣ୍ଣ ସିଦ୍ଧ ବାୟୁସେନାର ମୁଖ୍ୟ ହେବାର ସ୍ୱପ୍ନ ରଖିଥିଲେ ବୋଲି ତାଙ୍କ ବାପା କହିଛନ୍ତି ।
ଶୋକାକୁଳ ପରିବେଶ ଭିତରେ ବାୟୁସେନାର ପାଇଲଟ ଫ୍ଲାଇଟ ଲେପ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କର ରବିବାର ହରିୟାଣର ରେୱାରି ଜିଲାସ୍ଥିତ ପୈତୃକ ଗାଁ ମଜରା ଭଲଖରେ ସାମରିକ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଆମେ ଏଠାରେ କହି ରଖୁଛୁ ସିଦ୍ଧାର୍ଥ ଏକ ବିରାଟ ଦୁର୍ଘଟଣାକୁ ଏଡ଼ାଇଛନ୍ତି । ନହେଲେ କେତେ ଯେ ଜୀବନ ଯାଇଥାଆନ୍ତା ତାହା କଳ୍ପନା କରିପାରିନଥାନ୍ତେ। ନିଜେ ସହିଦ ହୋଇ କୋ ପାଇଲଟଙ୍କ ଜୀବନ ରକ୍ଷା କଲେ । ସିଦ୍ଧାର୍ଥଙ୍କ ଭଳି ମହାନ ବ୍ୟକ୍ତିଙ୍କୁ ଶତ ସଲାମ୍ ।
Also Read:ରୋଜଗାର ପାଇଁ ଯାଇ ଏବେ କଟା ହାତ ନେଇ ଫେରିଛନ୍ତି ରୀନା, ସରକାରୀ ସହାୟତାକୁ ଅପେକ୍ଷା