‘ହନିଟ୍ରାପ୍’ରେ IAF ୱିଙ୍ଗ କମାଣ୍ଡର, ପାକିସ୍ତାନୀ ଲିଙ୍କ୍ ଥିବା ମହିଳାଙ୍କୁ ଗୁପ୍ତ ପ୍ରତିରକ୍ଷା ତଥ୍ୟ ଦେବା ଅଭିଯୋଗରେ ଗିରଫ
ନୂଆଦିଲ୍ଲୀ : ‘ହନିଟ୍ରାପ୍’ରେ IAF ୱିଙ୍ଗ କମାଣ୍ଡର । ପାକିସ୍ତାନୀ ଲିଙ୍କ୍ ଥିବା ମହିଳାଙ୍କୁ ଗୁପ୍ତ ପ୍ରତିରକ୍ଷା ତଥ୍ୟ ଦେବା ଅଭିଯୋଗ । ଭାରତୀୟ ବାୟୁସେନାର ଜଣେ କାର୍ଯ୍ୟରତ ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଆସିଛି ଗୁରୁତର ଗୁପ୍ତଚରବୃତ୍ତି ଅଭିଯୋଗ। ପାକିସ୍ତାନୀ ଗୁପ୍ତଚର ଅପରେଟିଭଙ୍କ ସହ ସମ୍ପର୍କ ଥିବା ଜଣେ ମହିଳାଙ୍କ ‘ହନିଟ୍ରାପ୍’ରେ ପଡ଼ି ସେ ସମ୍ବେଦନଶୀଳ ପ୍ରତିରକ୍ଷା ତଥ୍ୟ ଓ ଗୋପନୀୟ ଦସ୍ତାବିଜ ସେୟାର କରିଥିବା ଅଭିଯୋଗ ହୋଇଛି । ୪୪ ବର୍ଷୀୟ ଏହି ଅଧିକାରୀଙ୍କ ନାମ ସାର୍ବଜନୀନ କରାଯାଇନାହିଁ । ବାୟୁସେନାର ଗୁଇନ୍ଦା ୱିଙ୍ଗରୁ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଦିଲ୍ଲୀ ପୋଲିସ ମେ’ ୩୦-୩୧ ରାତିରେ ୱିଙ୍ଗ କମାଣ୍ଡରଙ୍କୁ ଗିରଫ କରିଥିଲା ।
ପ୍ରଥମେ ତାଙ୍କୁ ପୋଲିସ ହେପାଜତ ଏବଂ ପରେ ବିଚାର ବିଭାଗୀୟ ହେପାଜତରେ ତିହାର ଜେଲକୁ ପଠାଯାଇଥିଲା। ଜୁଲାଇ ୩୦ରେ ଦିଲ୍ଲୀ ପୋଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ମାମଲା ଏବେ ବିଚାରାଧୀନ ରହିଛି। ସୋସିଆଲ୍ ମିଡିଆରୁ ଆରମ୍ଭ ହୋଇଥିଲା ‘ହନିଟ୍ରାପ୍’ । ଅଧିକାରୀ ଜଣକ ବ୍ୟକ୍ତିଗତ ଜୀବନର ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ ସୋସିଆଲ୍ ମିଡିଆ ଜରିଆରେ ତାଙ୍କୁ ଟାର୍ଗେଟ୍ କରାଯାଇଥିଲା। ଜଣେ ମହିଳା ତାଙ୍କ ସହ ଯୋଗାଯୋଗ କରି ଚାଟ୍ ଓ ଭିଡିଓ କଲ୍ ଜରିଆରେ ଘନିଷ୍ଠତା ବଢ଼ାଇଥିଲେ। ପରେ ସାମରିକ ଗତିବିଧି, ସେନା ମୁତୟନ, ଫଟୋ, ଭିଡିଓ ଏବଂ ଅନ୍ୟ ସମ୍ବେଦନଶୀଳ ତଥ୍ୟ ମାଗିଥିବା ଅଭିଯୋଗ ରହିଛି।
ୱିଙ୍ଗ କମାଣ୍ଡର ଡିଜିଟାଲ୍ ମାଧ୍ୟମରେ କିଛି ଗୋପନୀୟ ଦସ୍ତାବିଜ ଓ ତଥ୍ୟ ସେୟାର କରିଥିଲେ। ତେବେ କେତେ ପରିମାଣର ଏବଂ କେଉଁ ପ୍ରକାରର ତଥ୍ୟ ସେୟାର ହୋଇଥିଲା, ସେ ସମ୍ପର୍କରେ ସମ୍ବେଦନଶୀଳତା ଓ ଚାଲିଥିବା ତଦନ୍ତ କାରଣରୁ ସବିଶେଷ ତଥ୍ୟ ସାର୍ବଜନୀନ କରାଯାଇନାହିଁ। ସହକର୍ମୀଙ୍କ ମୋବାଇଲରେ ସ୍ପାଇୱେର୍ ଲଗାଇବା ଅଭିଯୋଗ ହୋଇଛି । ମାମଲାରେ ଆଉ ଏକ ଗୁରୁତର ଦିଗର ତଦନ୍ତ ଚାଲିଛି। ଅଭିଯୁକ୍ତ ଅଧିକାରୀ ଜଣେ ସହକର୍ମୀଙ୍କ ମୋବାଇଲ୍ ରେ ତଥ୍ୟ ଚୋରି କରିପାରୁଥିବା ସଫ୍ଟୱେର୍ ବା ରିମୋଟ୍-ଆକ୍ସେସ୍ ମାଲୱେର୍ ଇନଷ୍ଟଲ୍ କରିଥିବା ଅଭିଯୋଗ ରହିଛି। ଏହା ମାଧ୍ୟମରେ ଡାଟା ଚୋରି, ଲୋକେସନ୍ ଟ୍ରାକିଂ କିମ୍ବା ଯୋଗାଯୋଗ ଉପରେ ନଜର ରଖାଯାଇପାରୁଥିଲା ବୋଲି ତଦନ୍ତକାରୀଙ୍କ ସନ୍ଦେହ କରୁଛନ୍ତି।
ତେବେ ଏହା କେବଳ ଜଣେ ଅଧିକାରୀଙ୍କୁ ଟାର୍ଗେଟ୍ କରିବା ଘଟଣା ନା ଏହା ପଛରେ ପ୍ରତିରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ୍ କରୁଥିବା ଏକ ବଡ଼ ଗୁପ୍ତଚର ନେଟୱର୍କ ରହିଛି, ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି। ଗୋପନୀୟ ପ୍ରତିରକ୍ଷା ତଥ୍ୟ ଓ ଦସ୍ତାବିଜ ସେୟାର କରିବା ଅଭିଯୋଗରେ ଅଧିକାରୀଙ୍କ ବିରୋଧରେ Official Secrets Act ଅଧୀନରେ ମାମଲା ରୁଜୁ ହୋଇଛି। ତଦନ୍ତକାରୀ ସଂସ୍ଥା ତାଙ୍କ ଡିଜିଟାଲ୍ ଯୋଗାଯୋଗ, ସେୟାର ହୋଇଥିବା ତଥ୍ୟର ପରିସର ଏବଂ ସମ୍ଭାବ୍ୟ ପାକିସ୍ତାନୀ ଲିଙ୍କର ଯାଞ୍ଚ ଚାଲିଛି । ଅଧିକାରୀ ଜଣକ ସକ୍ରିୟ ନଜରରେ ଥିଲେ ଏବଂ ପରେ ଉପଯୁକ୍ତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । ଏପରିକି କାର୍ଯ୍ୟକଳାପ ପ୍ରତି ବାୟୁସେନାର ‘ଜିରୋ ଟଲରେନ୍ସ’ ନୀତି ରହିଥିବା ମଧ୍ୟ ସ୍ପଷ୍ଟ କରାଯାଇଛି।