ନୂଆଦିଲ୍ଲୀ : ମଝି ଆକାଶରେ ଦୁଇ ଲଢୁଆ ବିମାନ ମଧ୍ୟରେ ହୋଇଛି ଧକ୍କା । ଭାରତୀୟ ବାୟୁସେନାର ସୁଖୋଇ-୩୦ ଓ ମିରାଜ-୨୦୦୦ ଏୟାରକ୍ପାଫ୍ଟ ଦୁର୍ଘଟଣା ହୋଇଛି । ମଧ୍ୟପ୍ରଦେଶ ମୋରେନାରେ ଏହି ଦୁର୍ଘଟଣା ଘଟିଛି । ଗ୍ଵାଲିୟର ଏୟାରବେସରୁ ଦୁଇଟି ଏୟାରକ୍ରାଫ୍ଟ ସୁଖୋଇ-୩୦ ଓ ମିରାଜ-୨୦୦୦ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିଲେ । ଏହି ଦୁଇଟି ଏୟାରକ୍ରାଫ୍ଟ ସାମରିକ ଅଭ୍ୟାସରେ ସାମିଲ ଥିଲେ । ଦୁର୍ଘଟଣାରେ ସୁଖୋଇ-୩୦ର ଦୁଇ ପାଇଲଟ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କୁ ଏୟାର ଲିଫ୍ଟ କରାଯାଇଛି।
ମିରାଜ-୨୦୦୦ରେ ଥିବା ପାଇଲଟ ସହିଦ ହୋଇଛନ୍ତି । ଉଡାଣ ଭରିବା ପରେ ମଝି ଆକାଶରେ ଦୁଇ ବିମାନର ଧକ୍କା ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ ମୋରେନାରେ ମିରାଜ ବିମାନ ଖସିପଡଥିଲା। କିନ୍ତୁ ସୁଖୋଇ ବିମାନ ପାଇଲଟ ନିଜକୁ ବଂଚାଇବାକୁ ଅନେକ ଉଦ୍ୟମ କରିଥିଲେ । ବହୁ ଉଦ୍ୟମ ପରେ ରାଜସ୍ଥାନ ଭରତପୁର ନିକଟରେ ସୁଖୋଇ ବିମାନ ଖସିପଡିଥିଲା।
ଦୁର୍ଘଟଣା କିପରି ଘଟିଲା ସେନେଇ ଭାରତୀୟ ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଇନକ୍ୱାରି କରାଯିବ। ମଝି ଆକାଶରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି କି ନାହିଁ ସେନେଇ ତଦନ୍ତ କରାଯିବ। ବାୟୁ ସେନା ବିମାନ ଦୁର୍ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ଜେନେରାଲ୍ ଅନିଲ ଚୌହ୍ଵାନ୍ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ୍ ଭି.ଆର୍ ଚୌଧୁରୀଙ୍କ ସହ କଥା ହୋଇଛନ୍ତି । ଦୁର୍ଘଟଣା ବାବଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ରାଜନାଥ ସିଂ ପଚାରି ବୁଝିଛନ୍ତି ।