ଭେଟନ୍ତୁ ଏହି IAS ଅଫିସରଙ୍କୁ, ଯିଏ ଦିନେ ଟଙ୍କା ପାଇଁ ସାଇକେଲ୍ ଦୋକାନରେ କରୁଥିଲେ କାମ

ଯେଉଁ ବ୍ଯକ୍ତିତ୍ବଙ୍କ ବିଷୟରେ ଆମେ ଏବେ କହିବାକୁ ଯାଉଛୁ , ତାଙ୍କ କାହାଣୀ ନିଶ୍ଚିତ ଭାବରେ ପୁରୁଣା । କିନ୍ତୁ ଆଜି ସେ ଯେଉଁ ସ୍ଥାନରେ ଅଛନ୍ତି ତାହା ପଛରେ ଥିବା ସଂଘର୍ଷ ଆଜିର ଯୁବପୀଢିଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଦେବ । ସଂଘର୍ଷରୁ ସଫଳତାର ଏହି କାହାଣୀ ହେଉଛି ଆଇଏଏସ୍ ଅଫିସର୍ ବରୁଣ ବରନବାଲଙ୍କର । ଦାରିଦ୍ର୍ଯତା ଯୋଗୁଁ ଦିନେ ବରୁଣ ଏକ ସାଇକେଲ୍ ଦୋକାନରେ କାମ କରୁଥିଲେ । ହେଲେ ଅଭାବ ଏବଂ ବିନା କୌଣସି ସୁବିଧାରେ କେମିତି ମେକାନିକରୁ ବନିଲେ ଆଇଏଏସ୍ ଅଫିସର୍ ? ପଢନ୍ତୁ ପୁରା କାହାଣୀ ।

ମହାରାଷ୍ଟ୍ରର ଏକ ଛୋଟ ସହର ବୋଝସାରରେ ହେଉଛି ବରୁଣଙ୍କ ଘର । ଯିଏ ୨୦୧୩ରେ ହୋଇଥିବା ୟୁପିଏସସି ପରୀକ୍ଷାରେ ୩୨ତମ ସ୍ଥାନ ହାସଲ କରିଥିଲେ । ତେବେ ବରୁଣଙ୍କ କାହାଣୀ କୌଣସି ସାଧାରଣ କାହାଣୀ ପରି ନୁହେଁ । ନିଜ ସଂଘର୍ଷ ବିଷୟରେ ବରୁଣ କୁହନ୍ତି ତାଙ୍କ ଜୀବନ ଖୁବ୍ ଦାରିଦ୍ର୍ଯ ମଧ୍ୟରେ କଟିଛି । ପଢିବା ପାଇଁ ମନ ଥିଲା କିନ୍ତୁ ଟଙ୍କା ନଥିଲା । ଆଉ ୧୦ମ ପାସ୍ ପରେ ସାଇକେଲ୍ ଦୋକାନରେ କାମ କରିବାକୁ ନିଷ୍ପତି ନେଇଥିଲେ । କାରଣ ଆଗକୁ ପଢିବା ପାଇଁ ଟଙ୍କାର ଆବଶ୍ଯକତା ଥିଲା ।

କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ବରୁଣଙ୍କ କହିବା ଅନୁଯାୟୀ ସେ ୨୦୦୬ରେ ୧୦ମ ପରୀକ୍ଷା ଦେଇଥିଲେ । ଆଉ ପରୀକ୍ଷା ଶେଷ ହେବାର ତିନି ଦିନ ପରେ ବାପାଙ୍କ ନିଧନ ହୋଇଥିଲା । ଯାହା ପରେ ପାଠ ପଢା ଛାଡିବା ପାଇଁ ନିଷ୍ପତି ନେଇଥିବା ବରୁଣ ୧୦ମ ପରୀକ୍ଷାରେ ନିଜ ସ୍କୁଲରେ ହୋଇଥିଲେ ଟପ୍ପର । କିନ୍ତୁ ପରିବାର ଲୋକ ସମର୍ଥନ କରି କହିଥିଲେ ’ଆମେ କାମ କରୁଛୁ ତୁ ପାଠ ପଢ’ ।

ତେବେ ବରୁଣଙ୍କ ପାଠ ପଢାରେ ସେ ନିଜେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରି ନାହାଁନ୍ତି । କେହି ନା କେହି ତାଙ୍କ ବହି, ଫର୍ମ ଏବଂ ଫିସ୍ ଭରି ଦେଉଥିଲେ । ୧୦ମ ପରେ ସ୍କୁଲ୍ ଫିସ୍ ତାଙ୍କ ବାପାଙ୍କ ଚିକିତ୍ସା କରୁଥିବା ଡାକ୍ତର ଭରି ଦେଇଥିଲେ । କିନ୍ତୁ ଚିନ୍ତା ଥିଲା ବାକି ଫିସ୍ କେମିତି ଭରିବେ । ତେଣୁ ମନେ ମନେ ନିଷ୍ପତି ନେଲେ ଭଲ ଭାବରେ ପଢିବେ ଏବଂ ସ୍କୁଲର ପ୍ରିନ୍ସିପାଲଙ୍କୁ ଅନୁରୋଧ କରିବେ ବାକି ଫିସ୍ ଛାଡ କରିବା ପାଇଁ । ଆଉ ବରୁଣ ଯାହା ଚାହୁଁଥିଲେ ସେହି କଥା ହେଲା ।

ଏହା ପରେ ସମାନ ଅବସ୍ଥା ହୋଇଥିଲା ଇଞ୍ଜିନିୟରିଂ ସମୟରେ । ଫିସ୍ ତ ମା‘ ଭରିଦେଲେ ହେଲେ ବର୍ଷ ଜାକର ଫିସ୍ ପାଇଁ ସ୍କୁଲ୍ କତ୍ତ୍‌ପକ୍ଷଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଏହା ହୋଇ ପାରିନଥିଲା । ଯାହା ଫଳରେ ତାଙ୍କର ଜଣେ ବନ୍ଧୁ ଫିସ୍ ଭରି ଦେଇଥିଲେ । ଏହା ପରେ ପ୍ଲେସମେଂଟ୍ ପାଇଥିଲେ କଲେଜ୍ ତରଫରୁ । କିନ୍ତୁ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଚେଷ୍ଟା କରିଥିଲେ । ଆଉ ଏଥିପାଇଁ ମଧ୍ୟ ସାହାଯ୍ଯ କରିଥିଲେ ଜଣେ ଭାଇ । ଆଉ କଠିନ ପରିଶ୍ରମ କରି ପରୀକ୍ଷାରେ ୩୨ ରାଙ୍କ୍ ହାସଲ କରିଥିଲେ । ଆଜି ବରୁଣ ଜଣେ ସଫଳ ଆଇଏଏସ୍ ଅଫିସର୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.