ବିବାହ ପୂର୍ବରୁ ବଡ଼ ନିଷ୍ପତ୍ତି! ସୋସିଆଲ ମିଡିଆ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଆଇଏଏସ୍‌ ଟିନା ଡାବୀ ଓ ପ୍ରଦୀପ ଗଓ୍ଵାଣ୍ଡେ

ଆଇଏଏସ୍‌ ଟିନା ଡାବୀ ଓ ତାଙ୍କ ଭାବୀ ସ୍ୱାମୀ ଆଇଏଏସ୍‌ ପ୍ରଦୀପ ଗଓ୍ଵାଣ୍ଡେ ବିବାହ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନେ ନିଜକୁ ସୋସିଆଲ ମିଡିଆରୁ ଦୂରେଇ ନେଇଛନ୍ତି। ଟିନା ଡାବୀ ନିଜର ଇନଷ୍ଟାଗ୍ରାମ ଏବଂ ଫେସ୍‌ବୁକ ଆକାଉଣ୍ଟକୁ ଡିଲିଟ୍‌ କରି ଦେଇଛନ୍ତି। ସେପଟେ ପ୍ରଦୀପ ଗଓ୍ଵାଣ୍ଡେ ମଧ୍ୟ ଇନଷ୍ଟାଗ୍ରାମରୁ ଦୂରେଇ ଯାଇଛନ୍ତି। ଯଦିଓ ଟିନା ଏବେ ଟ୍ଵିଟରରେ ଅଛନ୍ତି।

କହି ରଖୁଛୁ, ଇନଷ୍ଟାଗ୍ରାମରେ ଟିନା ଡାବୀଙ୍କର ପାଖାପାଖି ୧.୫ ମିଲିୟନରୁ ଅଧିକ ଫଲୋଅର୍ସ ଥିଲେ। ତାଙ୍କ ଫେସ୍‌ବୁକ ପେଜ୍‌ରେ ବି ଲକ୍ଷ ଲକ୍ଷ ଲୋକ ଯୋଡ଼ି ହୋଇ ରହିଥିଲେ। ସେଠି ପ୍ରଦୀପ ଗଓ୍ଵାଣ୍ଡେଙ୍କୁ ଇନଷ୍ଟାଗ୍ରାମରେ ୪୦ ହଜାରରୁ ଅଧିକ ଲୋକ ଫଲୋ କରୁଥିଲେ। କିନ୍ତୁ ଏବେ ଦୁଇଜଣ ହିଁ ସୋସିଆଲ ମିଡିଆକୁ ଅଲ୍‌ବିଦା କହିଛନ୍ତି। ତେବେ ସେମାନେ ଏମିତି କାହିଁକି କଲେ, ସେ ନେଇ ସେମାନଙ୍କ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ। ଆଇଏଏସ୍‌ ଦମ୍ପତିଙ୍କର ଏଭଳି ପଦକ୍ଷେପରୁ ତାଙ୍କ ଫ୍ୟାନମାନଙ୍କୁ ବଡ଼ ଝଟକା ଲାଗିଛି।

ବିଗତ କିଛି ଦିନରୁ ଟିନା ଓ ପ୍ରଦୀପ ନିଜ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଖୋଦ୍‌ ଟିନା ଆଇଏଏସ୍‌ ପ୍ରଦୀପ ଗଓ୍ଵାଣ୍ଡେଙ୍କ ସହିତ ନିଜ ନିର୍ବନ୍ଧ କଥା ଫ୍ୟାନମାନଙ୍କୁ ଜଣାଇଥିଲେ। ଟିନା ଓ ପ୍ରଦୀପ ଏକାଠି ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହାକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ ମଧ୍ୟ କରିଥିଲେ।

ଏକ ଇଣ୍ଟରଭ୍ୟୁରେ ଟିନା, ପ୍ରଦୀପଙ୍କ ସହ ନିଜ ଲଭ୍‌ ଷ୍ଟୋରୀ ବିଷୟରେ ଖୁଲାସା କରିଥିଲେ। ସେ କହିଥିଲେ କି, କରୋନା କାଳରେ ସେମାନଙ୍କର ଦେଖା ହୋଇଥିଲା। ପରେ ଦୁଇଜଣଙ୍କ ଭିତରେ ବନ୍ଧୁତା ବଢ଼ିଥିଲା। ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ବଦଳିଥିଲା। ସେହି ସମୟରେ ଉଭୟ ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗରେ ଏକାଠି କାମ କରୁଥିଲେ। ଟିନା ଓ ପ୍ରଦୀପ ଉଭୟ ହିଁ ରଜସ୍ଥାନ କ୍ୟାଡରର ଆଇଏଏସ୍‌।

କହି ରଖୁଛୁ, ଟିନା ଡାବୀଙ୍କର ଏହା ଦ୍ୱିତୀୟ ବିବାହ ହେବାକୁ ଯାଉଥିବା ବେଳେ ପ୍ରଦୀପଙ୍କର କିନ୍ତୁ ପ୍ରଥମ ବିବାହ। ପ୍ରଦୀପ, ଟିନାଙ୍କଠାରୁ ୧୩ ବର୍ଷ ବଡ଼। ଟିନାଙ୍କର ପ୍ରଥମ ବିବାହ ଅତହର ଆମିର ଖାନଙ୍କ ସହିତ ହୋଇଥିଲା। ଅତହର ବି ଜଣେ ଆଇଏଏସ୍‌ ଅଫିସର। ତେବେ ଦୁଇଜଣ ଆପୋଷ ସହମତିରେ ବିବାହର ଦୁଇ ବର୍ଷ ପରେ ଛାଡ଼ପତ୍ର ଦେଇଥିଲେ। ବର୍ତ୍ତମାନ ଟିନା ୨୦ ଏପ୍ରିଲରେ ପ୍ରଦୀପଙ୍କ ହାତ ଧରିବାକୁ ଯାଉଛନ୍ତି। ରିସେପ୍ସନ ୨୨ ଏପ୍ରିଲରେ ହେବ।

Leave A Reply

Your email address will not be published.