ନୂଆ ମିଲିଟାରୀ ନିଯୁକ୍ତି ପ୍ରକ୍ରିୟା ନେଇ ସ୍ପଷ୍ଟୀକରଣ: ହିଂସାରେ ସାମିଲ ଥିଲେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ନାହିଁ

କେନ୍ୟୁଜ୍(ବ୍ୟୁରୋ):  ହିଂସାରେ ସାମିଲ ଥିଲେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ନାହିଁ। ନୂଆ ମିଲିଟାରୀ ନିଯୁକ୍ତି ପ୍ରକ୍ରିୟା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଅଗ୍ନିପଥ ଯୋଜନା ପାଇଁ ସଂଗଠିତ ହିଂସାରେ ସାମିଲ ନଥିବା ନେଇ ପ୍ରାର୍ଥୀଙ୍କୁ ଲିଖିତ ଭାବେ ଜଣାଇବାକୁ ପଡ଼ିବ। ପୋଲିସ ଯାଞ୍ଚ ପରେ ସେମାନଙ୍କୁ ଅଗ୍ନିବୀର ଭାବେ ବିବେଚନା କରାଯିବ ବୋଲି କହିଛନ୍ତି ସାମରିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେଫ୍‌ଟନାଣ୍ଟ ଅନିଲ ପୁରୀ। ସେନାରେ ଶୃଙ୍ଖଳା ଅପରିହାର୍ଯ୍ୟ। ବିଶୃଙ୍ଖଳାରେ କୌଣସି ସ୍ଥାନ ନାହିଁ। ଏହା ସହ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେନାରେ ପରିବର୍ତ୍ତନ ପାଇଁ ଯୁବଶକ୍ତି ଅପରିହାର୍ଯ୍ୟ ବୋଲି କହିଛନ୍ତି।

 ଖୁବ ଶୀଘ୍ର ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଅଗ୍ନିବୀର ପ୍ରଥମ ବ୍ୟାଚ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଜୁନ ୨୧ରୁ ଆରମ୍ଭ ହେବ। ଜୁଲାଇ ୨୪ ପର୍ଯ୍ୟନ୍ତ ଚାଲିବ। ଅନ୍‌ଲାଇନରେ ହେବ ଫେଜ୍‌ ୧ ଅଗ୍ନିବୀରଙ୍କ ପରୀକ୍ଷା। ଡିସେମ୍ବର ସୁଦ୍ଧା ଏନ୍‌ରୋଲ ସହ ୩୦ ତାରିଖ ସୁଦ୍ଧା ପ୍ରଶିକ୍ଷଣ ଆରମ୍ଭ ହେବ ବୋଲି କହିଛନ୍ତି ଏୟାର ମାର୍ଶଲ ଏସକେ ଝା। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ ବ୍ୟାଚରେ ୨୫ହଜାର ଅଗ୍ନିବୀର ଯୋଗ ଦେବା। ଦ୍ୱିତୀୟ ବ୍ୟାଚରେ ୨୦୨୩ ଫେବୃଆରୀ ସୁଦ୍ଧା ୪୦ହଜାର ଅଗ୍ନିବୀର ନିଯୁକ୍ତ ହେବେ। ଅଗ୍ନିପଥ ଯୋଜନାରେ ନୌସେନାରେ ପୁରୁଷଙ୍କ ସହ ମହିଳାଙ୍କୁ ମଧ୍ୟ ନିଯୁକ୍ତି ମିଳିବ। ସେମାନଙ୍କୁ ଯୁଦ୍ଧ ଜାହାଜରେ ନିୟୋଜିତ କରାଯିବ। ନଭେମ୍ବର ୨୧ ସୁଦ୍ଧା ପ୍ରଥମ ବ୍ୟାଚ ନେଭି ଅଗ୍ନିବୀରଙ୍କୁ ଓଡ଼ିଶାର ଆଇଏନଏସ ଚିଲିକାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଅଗ୍ନିପଥ ଯୋଜନାକୁ ବିରୋଧ ଓ ହିଂସା ନେଇ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଥିଲେ ତିନିସେନା ମୁଖ୍ୟ। ବୈଠକ ପରେ ସେନା ଅଗ୍ନିପଥ ଯୋଜନାକୁ ସ୍ପଷ୍ଟ କରିଛି। ସେନାର ନବୀକରଣ ବହୁ ପୂର୍ବରୁ ସ୍ଥିର ହୋଇଥିଲା। ସେନାବାହିନୀରେ ଯୁବବର୍ଗ ଓ ଅଭିଜ୍ଞତାକୁ ସ୍ଥାନ ଦେବା ଜରୁରୀ ବୋଲି କୁହାଯାଇଛି।