ଚୀନ-ତାଇଓ୍ଵାନ ଯୁଦ୍ଧ! ସାରା ବିଶ୍ୱ ଭୋଗିବ ଭୟଙ୍କର ପରିଣାମ; ବଜାରରୁ ଗାଏବ ହୋଇଯିବ ଏହି ସବୁ ଜିନିଷ

ଚୀନର ନାନା ଧମକ ସତ୍ତ୍ୱେ ଆମେରିକା ସଂସଦର ସ୍ପୀକର ନାନ୍ସି ପେଲୋସି ତାଇଓ୍ଵାନ ଗସ୍ତ କରି ଫେରିଛନ୍ତି। ସେ ୧୯ ଘଣ୍ଟା କାଳ ତାଇଓ୍ଵାନରେ ରହି ସେଠାକାର ରାଷ୍ଟ୍ରପତି ଏବଂ ଅଧିକାରୀମାନଙ୍କ ସହିତ ଭେଟ ହୋଇଥିଲେ। ଚୀନର ଧମକ ଭିତରେ ପେଲୋସିଙ୍କ ଏହି ଗସ୍ତ ଏକ ପ୍ରକାର ପ୍ରମାଣ ଦେଉଛି ଯେ ଆମେରିକାକୁ ଚୀନର ଚେତାବନୀରେ କୌଣସି ଫରକ୍‌ ପଡ଼ୁନାହିଁ।

ପେଲୋସି ତାଇଓ୍ଵାନକୁ ଭରସା ଦେଇ କହିଛନ୍ତି କି, ଆମେରିକା ତାଙ୍କ ସହିତ ଅଛି। ତେବେ ଏହି ଗସ୍ତକୁ ନେଇ କ୍ରୋଧିତ ଥିବା ଚୀନ ତାଇଓ୍ଵାନର କିଛି ଜାଗାରେ ନିଜର ଫାଇଟର ଜେଟ୍‌ ଏବଂ ଯୁଦ୍ଧପୋତଗୁଡ଼ିକୁ ମୁତୟନ କରି ଦେଇଛି।

ଯୁଦ୍ଧ ହେଲେ ସାରା ବିଶ୍ୱ ଭୋଗିବ

ଭାରତରେ ୭୦ କୋଟିରୁ ଅଧିକ ଲୋକ ମୋବାଇଲ ବ୍ୟବହାର କରୁଥିବା ବେଳେ ୨୦ କୋଟିରୁ ଅଧିକ ଲୋକ ଲାପ୍‌ଟପ ଏବଂ କାର୍‌ ବ୍ୟବହାର କରୁଛନ୍ତି। କିନ୍ତୁ ଏହାରି ଭିତରେ ଶଙ୍କା ଉଠିଛି ଯେ ଯଦି ଚୀନ ଓ ତାଇଓ୍ଵାନ ମଧ୍ୟରେ ଯୁଦ୍ଧ ହୁଏ, ତା’ ହେଲେ ସାରା ବିଶ୍ୱ ଏହାର ଭୟଙ୍କର ପରିଣାମ ଭୋଗିବ। ଖାସ୍‌ କରି, ମୋବାଇଲ, ଲାପ୍‌ଟପ ଏବଂ ଅଟୋମୋବାଇଲ ଉପରେ ସଙ୍କଟ ମାଡ଼ି ଆସିବ।

ବିଶ୍ୱର ହଜାର ହଜାର କମ୍ପାନୀ ବନ୍ଦ ହେବା ସ୍ଥିତିକୁ ଆସିଯିବ। ଶହ ଶହ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ହେବ। କହି ରଖୁଛୁ, ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ରେ ଯେଉଁ ଚିପ୍‌ ଏବଂ ସେମିକଣ୍ଡକ୍ଟର ବ୍ୟବହାର ହୋଇଥାଏ, ତାହା ତାଇଓ୍ଵାନରେ ହିଁ ପ୍ରସ୍ତୁତ ହୋଇଥାଏ।

war
photo: The Telegraph

ସାରା ବିଶ୍ୱରେ ସେମିକଣ୍ଡକ୍ଟରରୁ ଆସୁଥିବା ମୋଟ ଆୟର ୫୪ ପ୍ରତିଶତ ଅଂଶ ତାଇଓ୍ଵାନର କମ୍ପାନୀଗୁଡ଼ିକ ପାଖରେ ରହିଛି। ଯଦି ଏଠାରେ ଉତ୍ପାଦନ ବନ୍ଦ ହୋଇଗଲା, ତା’ ହେଲେ ସାରା ବିଶ୍ୱକୁ ଝଟ୍‌କା ଲାଗିବ। ତାଇଓ୍ଵାନରେ ସ୍ଥିତି ବିଗିଡ଼ିଲେ ସଙ୍କଟ ବଢ଼ିଯିବ। କାହିଁକି ନା, ଏହି ଛୋଟିଆ ଦେଶ ସେମିକଣ୍ଡକ୍ଟର ମାମଲାରେ ବିଶ୍ୱର ଫ୍ୟାକ୍ଟ୍ରି ରୂପେ ଗଣାଯାଇଥାଏ। ଚୀନ ଓ ତାଇଓ୍ଵାନ ଯୁଦ୍ଧର ପରିଣାମ ସ୍ୱରୂପ ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର, ସ୍ମାର୍ଟଫୋନ, କାର୍‌ ଆଦିର ଦରଦାମ୍‌ ଅହେତୁକ ଭାବେ ବୃଦ୍ଧି ପାଇବ। ଏମିତି ବି ହୋଇପାରେ, ବଜାରରେ ଇଲେକ୍ଟ୍ରୋନିକ୍ସ ଜିନିଷ ଆଉ ମିଳିବ ନାହିଁ।

ସେମିକଣ୍ଡକ୍ଟର ଉତ୍ପାଦନରେ ତାଇଓ୍ଵାନ କମ୍ପାନୀ TSMCର ସବୁଠାରୁ ଅଧିକ ଯୋଗଦାନ ରହିଛି। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ସେମିକଣ୍ଡକ୍ଟର କମ୍ପାନୀ। Apple, Qualcomm, Nvidia, Microsoft, Sony, Asus, Yamaha, Panasonic ଭଳି ବଡ଼ ବଡ଼ କମ୍ପାନୀ ଏହାର କ୍ଲାଇଣ୍ଟ୍‌ ଅଛନ୍ତି।

ତାଇଓ୍ଵାନ ସେମିକଣ୍ଡକ୍ଟର ମାନୁଫ୍ୟାକ୍ଚରିଙ୍ଗ୍‌ କମ୍ପାନୀ ବିଶ୍ୱର ୯୨ ପ୍ରତିଶତ ଆଡ୍‌ଭାନ୍ସ ସେମିକଣ୍ଡକ୍ଟର ଉତ୍ପାଦନ କରିଥାଏ। ଯଦି ଚୀନ ଆକ୍ରମଣ କରେ, ତା’ ହେଲେ ବିଶ୍ୱ ପାଇଁ ଚିପ୍‌ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ, ଏଥିରେ ସନ୍ଦେହ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.