ୱେଡିଂ ୱେବ୍‌ସାଇଟ୍‌ରେ ପାର୍ଟନର ଖୋଜୁଥିଲେ ସାବଧାନ୍‌! ଏମିତି ଠକାମୀରେ ପଡ଼ିପାରନ୍ତି

ବିବାହ କଥା ଆସିଲେ ଏବେ ଆଉ କେହି ମଧ୍ୟସ୍ଥିକୁ ଖୋଜୁ ନାହାନ୍ତି। ବର୍ତ୍ତମାନର ଆଧୁନିକ ଯୁଗରେ ଲୋକମାନେ ବିଭିନ୍ନ ୱେଡିଂ ୱେବ୍‌ସାଇଟ୍‌ ମାଧ୍ୟମରେ ନିଜ ପୁଅ ଝିଅଙ୍କ ବିବାହ ସ୍ଥିର କରୁଛନ୍ତି। ଏଥିରେ ଆରାମରେ ହାତ ପାହାନ୍ତାରେ ଭଲ ଭଲ ପ୍ରସ୍ତାବ ମିଳିଯାଉଥିବାରୁ ଲୋକମାନେ ଆଉ କୌଣସି ତୃତୀୟ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବାକୁ ଉଚିତ୍‌ ଭାବୁ ନାହାନ୍ତି। କିନ୍ତୁ କୁହନ୍ତି ନା ସହଜରେ ସବୁବେଳେ ସବୁ ଜିନିଷ ଠିକ୍‌ ମିଳେ ନାହିଁ। ଏବେ ଯଦି ଆପଣ ବି କୌଣସି ୱେଡିଂ ସାଇଟ୍‌ ମାଧ୍ୟମରେ ବିବାହ କରିବାକୁ ଚିନ୍ତା କରୁଛନ୍ତି ତେବେ ଏହି ଖବର ନିହାତି ଭାବେ ପଢ଼ନ୍ତୁ। କାରଣ ବିବାହ କରାଉଥିବା ସାଇଟ୍‌ ଉପରେ ଅନ୍ଧ ଭଳି ବିଶ୍ୱାସ କରିବା ଏବେ ଏକ ପରିବାର ଉପରେ ଭାରି ପଡ଼ିଛି।

ରିପୋର୍ଟ ମୁତାବକ, ଶାଦି ଡଟ୍‌ କମ୍‌ରେ ଭୁଲ ସୂଚନା ଦେଇ ବିବାହ କରିସାରିବା ପରେ ଯୌତୁକ ମାଗୁଥିବା ଏକ ସ୍ୱାମୀ ଓ ଶାଶୁ-ଶ୍ୱଶୁରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଚଣ୍ଡୀଗଡ଼ ସେକ୍ଟର ୧୧ ବିର ବାସିନ୍ଦା ରିଦ୍ଦିମା ଆଣିଛନ୍ତି ଏଭଳି ଅଭିଯୋଗ।

ରିଦ୍ଦିମାଙ୍କ ଅଭିଯୋଗ ମୁତାବକ, ସେ ଶାଦି ଡଟ୍‌ କମ୍‌ ବିବାହ କରାଉଥିବା ୱେବ୍‌ସାଇଟ୍‌ ମାଧ୍ୟମରେ ଚୈତନ୍ୟ ଶର୍ମାଙ୍କୁ ଭେଟିଥିଲେ। ଉଭୟ ପରିବାରର ସହମତିରେ ବିବାହ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିବାହ ପରେ ସେ ଜାଣିବାକୁ ପାଇଥିଲେ ଯେ ଚୈତନ୍ୟ ଭୁଲ ସୂଚନା ଦେଇ ବିବାହ କରିଛନ୍ତି। ଏଥିସହ ଶାଶୁ ଘର ଲୋକ ତାଙ୍କୁ ଅଧିକ ଯୌତୁକ ଆଣିବାକୁ ବି ଚାପ ପକାଇଥିଲେ। ବାଧ୍ୟ ହୋଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।

ସେହିପରି ଆଉ ଏକ ଅଭିଯୋଗ ଆଣିଛନ୍ତି ଜସପ୍ରୀତ କୌର। ଜସପ୍ରୀତ ଅଭିଯୋଗ କରିଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଶାଶୁ ଘର ଲୋକ ଯୌତୁକ ପାଇଁ ହଇରାଣ ହରକତ କରୁଛନ୍ତି। ସେ ଶାଶୁ ବରବୀର କୌର ଓ ଶ୍ୱଶୁର ଇନ୍ଦରଜିତ ସିଂହଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଦୁଇଟି ମାମଲାରେ ଏବେ ଯାଏଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ତେବେ ବିବାହ କରିବା ପୂର୍ବରୁ ଠିକ୍‌ ଭାବେ ବର ଓ କନ୍ୟା ପାତ୍ରଙ୍କ ବିଷୟରେ ବୁଝିବା ପରେ ହିଁ ଆଗକୁ ବଢ଼ିବାକୁ ପୋଲିସ ପରାମର୍ଶ ଦେଇଛି।

Also Read: ନୂତନ ଅବକାରୀ ନୀତି ଲାଗୁ : ରାଜ୍ୟରେ ଶସ୍ତା ହେବ ମଦ, ଠାକୁରଙ୍କ ନାଁରେ ରହିବନି ମଦ ଦୋକାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.