ଏଠି ବିବାହ କରିବେ ତ ଖର୍ଚ୍ଚ ଟଙ୍କା ହେବ ଫେରସ୍ତ! ମିଳିବ ଏତେ ଲକ୍ଷ ଟଙ୍କା

ଇଟାଲୀରେ ଦମ୍ପତିମାନଙ୍କୁ ସେମାନଙ୍କ ଡ୍ରିମ୍‌ ୱେଡିଂର ଆୟୋଜନ ପାଇଁ ୧.୭ ଲକ୍ଷ ଟଙ୍କା ରିଫଣ୍ଡ୍‌ ଆକାରରେ ଦିଆଯାଉଛି। ସେଣ୍ଟ୍ରାଲ ଇଟାଲୀର ଲାଜିଓ ଅଞ୍ଚଳ ବିବାହ ସମ୍ବନ୍ଧୀୟ ଖର୍ଚ୍ଚରେ ପାଖାପାଖି ୧,୬୭,୦୦୦ ଟଙ୍କା ପର୍ଯ୍ୟନ୍ତ ରିଫଣ୍ଡ୍‌ ପ୍ରଦାନ କରୁଛି। ଏହି ରିଫଣ୍ଡ୍‌ରେ ଇଭେଣ୍ଟ କମ୍ପାନୀ, ଖାଦ୍ୟପେୟ, ଫୁଲବାଲା ଏବଂ ସାଜସଜ୍ଜାର ସର୍ଭିସ୍‌ ଅନ୍ତର୍ଭୁକ୍ତ ରହିଛି। କୋଲୋସିୟମ୍ ଭଳି ପ୍ରତିଷ୍ଠିତ ସ୍ଥାପତ୍ୟ ସ୍ମାରକ, ସ୍ପେନିସ୍‌ ଷ୍ଟେପସ୍ ଏବଂ ଟ୍ରେଭି ଫାଉଣ୍ଟେନ୍ ସମେତ ଅନେକ ଲୋକପ୍ରିୟ ବିବାହ ସମାରୋହ ସ୍ଥଳ ଲାଜିଓରେ ରହିଛି। ମିଡିଆ ରିପୋର୍ଟ ମୁତାବକ, ବିବାହ ପାଇଁ ପ୍ରସ୍ତୁତ ଇଟାଲିୟନ୍‌ ଓ ବିଦେଶୀ ଦମ୍ପତି ଇଭେଣ୍ଟ କମ୍ପାନୀ, ଖାଦ୍ୟପେୟ, ଫୁଲ ସେବା ସମେତ ବିବାହ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ୧,୬୭,୦୦୦ ଟଙ୍କା ରିଫଣ୍ଡ୍‌ ପାଇବାର ହକ୍‌ଦାର ହୋଇ ପାରିବେ।

ବିବାହ ଖର୍ଚ୍ଚରେ ଫେରସ୍ତ ମିଳିବ ୧.୭ ଲକ୍ଷ ଟଙ୍କା!

ସାରା ବିଶ୍ୱ ଜାଣେ, ଇଟାଲୀ ବିବାହ ପାଇଁ ଏକ ଲୋକପ୍ରିୟ ତଥା ଆକର୍ଷଣୀୟ ସ୍ଥାନ। ଭାରତର ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏଠାରେ ବିବାହ କରିଥିଲେ। ସେହିପରି କିମ୍ କାର୍ଦାଶିୟନ, କାନ୍ୟେ ୱେଷ୍ଟଙ୍କ ବିବାହ ମଧ୍ୟ ଏହିଠାରେ ହୋଇଥିଲା। ତେବେ କରୋନା ମହାମାରୀ କାରଣରୁ ଏଭଳି ସମାରୋହ ଉପରେ ଅନେକ ପ୍ରଭାବ ପଡିଥିଲା। ମହାମାରୀ ଯୋଗୁ ଇଟାଲୀର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଥିଲା। ଇଟାଲୀର ଲାଜିଓ ଅଞ୍ଚଳ ନିଜ ବ୍ୟବସାୟକୁ ପୁଣି ଥରେ ଆଗକୁ ନେବାକୁ ଏବେ ସଂଘର୍ଷ କରୁଛି।

ଲାଜିଓ ଅଞ୍ଚଳର ଅଧ୍ୟକ୍ଷ ନିକୋଲା ଜିଙ୍ଗରେଟ୍ଟି କହିଛନ୍ତି ଯେ ଆର୍ଥିକ ସଙ୍କଟ ଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ଏହି ଅଞ୍ଚଳର ସମର୍ଥନ ପାଇଁ ଯୋଜନା ଆବଶ୍ୟକ, ଯେପରି ଏଠାକାର ଶିଳ୍ପ ଗୁଡ଼ିକୁ ପୁଣିଥରେ ଆଗକୁ ନିଆଯାଇ ପାରିବ। ସୂଚନା ମୁତାବକ, ବିବାହ କରିବାକୁ ଯାଉଥିବା ଦମ୍ପତିମାନେ ଯଦି ପଇସା ଫେରସ୍ତ ଚାହାଁନ୍ତି, ତେବେ ଏହି ଯୋଜନାରେ ଯୋଗ୍ୟ ହେବା ପାଇଁ ସେମାନଙ୍କୁ ୧ ଜାନୁଆରୀରୁ ୩୧ ଡିସେମ୍ବର ମଧ୍ୟରେ ବିବାହ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.