ପାଣିରେ ଉବୁଟୁବୁ ମାୟାନଗରୀ: ସ୍କୁଲ କଲେଜ ବନ୍ଦ, ରେଳ ଓ ବିମାନ ସେବା ପ୍ରଭାବିତ

ମହାରାଷ୍ଟ୍ରରେ କାଚୁଛି ପ୍ରବଳ ବର୍ଷା । ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ । ଲଗାତାର ବର୍ଷା ଯୋଗୁ ଜଳବନ୍ଦୀ ହୋଇଛି ଆର୍ଥିକ ରାଜଧାନୀ ମୁମ୍ବାଇ । ଗତ ୨୪ ଘଣ୍ଟା ଧରି ଲଗାତାର ବର୍ଷୁଛି । ଯାତାୟତ ଠପ, ଅସ୍ତବ୍ୟସ୍ତ ଜନଜୀବନ ହୋଇପଡିଛି । ରାସ୍ତା ପାଲଟିଛି ସମୁଦ୍ର । ପାଣିପାଗ ବିଭାଗ ମୁମ୍ବାଇ ସମେତ ଅନେକ ଅଞ୍ଚଳ ପାଇଁ ରେଡ ଆଲର୍ଟ ଜାରି କରିଛି । ପୋଲିସ ପ୍ରଶାସନ ଲୋକଙ୍କୁ ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ବନ୍ଦ କରାଯାଇଛି । ଟ୍ରାକ ଉପରେ ପାଣି ଚାଲୁଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ଟ୍ରେନ ବିଳମ୍ବରେ ଚାଲୁଥିବା ବେଳେ ଅନ୍ୟ କିଛି ଟ୍ରେନ ଉପରେ ପ୍ରଭାବ ପଡିଛି । ରନୱେରେ ବର୍ଷା ପାଣି ପଶିବାରୁ ୧୪ଟି ବିମାନର ରୁଟ ପରିର୍ବତ୍ତନ କରାଯାଇଛି । ବର୍ଷା ଯୋଗୁ ଅନେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ମୁମ୍ବାଇର ତଳିଆ ଅଞ୍ଚଳରେ ପାଣି ପଶି ଜଳମଗ୍ନ ହୋଇଛି । ଆଗକୁ ଆହୁରି ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪୦ରୁ ୫୦ କିମି ପ୍ରତି ଘଣ୍ଟାକୁ ପବନ ବୋହିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ।

ତେବେ ପ୍ରବଳ ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁଇଜଣ ଥାନେର ଗ୍ରାମୀଣ ଅଞ୍ଚଳରେ ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ମୁମ୍ବାଇ ଅନ୍ଧେରୀ ଜଣେ ମହିଳା ନାଳରେ ଖସିପଡିବା ଯୋଗୁଁ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଯୁବତୀ ରାୟଗଢ ଖୋପେଲୀରେ ଓ୍ୱାଟର ଫଲ୍‌ ପାଣିରେ ଭାସିଯିବା ଯୋଗୁଁ ମୃତ୍ୟୁ ହୋଇଛି ।

ବୁଧବାର ରାତି ପର୍ଯ୍ୟନ୍ତ ମୁମ୍ବାଇରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ପୂର୍ବ ମୁମ୍ବାଇ ଏବଂ ମଧ୍ୟ ମୁମ୍ବାଇ, ଦକ୍ଷିଣ ମୁମ୍ବାଇ ହୋଇଛି । ମୁମ୍ବାଇ, ଥାନେ, ନଭୀ ମୁମ୍ବାଇ, ବସଇ ବିରାର ପାଲଘର, ପିମ୍ପରୀ, ପୁଣେ ମୀରା ଭୟନ୍ଦରରେ ପ୍ରବଳ ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like