‘ଡେଥ୍‌ ସେଲ୍‌’ରେ ଇମ୍ରାନ ଖାନ, ନର୍କ ଭଳି ଜୀବନ ଜିଉଁଛନ୍ତି ପାକିସ୍ତାନର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ

ଏକଦା ପାକିସ୍ତାନରେ ସବୁଠୁ ଶକ୍ତିଶାଳୀ (ପ୍ରଧାନମନ୍ତ୍ରୀ) ପଦବୀରେ ବସିଥିବା ଇମ୍ରାନ ଖାନ ବର୍ତ୍ତମାନ ନର୍କ ଭଳି ଜୀବନ ଜିଉଁଛନ୍ତି । ୬ ଫୁଟ ୨ ଇଞ୍ଚ ଲମ୍ବା ଇମ୍ରାନ ଖାନ ଦାବି କରିଛନ୍ତି ଯେ ତାଙ୍କୁ ପାକିସ୍ତାନର ଅଦିୟାଲା ଜେଲରେ ୭ ଫୁଟିଆ ‘ଡେଥ୍‌ ସେଲ୍‌’ରେ ରଖାଯାଇଛି । ସିସିଟିଭି କ୍ୟାମେରା ଦ୍ୱାରା ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଇଛି ।

ସେ କହିଛନ୍ତି ଯେ ଆତଙ୍କବାଦୀଙ୍କ ଭଳି ତାଙ୍କୁ ପିଞ୍ଜରାରେ ବନ୍ଦ କରିଦିଆଯାଇଛି । ଉଚ୍ଚ ସୁରକ୍ଷା ବିଶିଷ୍ଟ ଜେଲରେ ତାଙ୍କୁ ଡେଥ୍‌ ସେଲ୍‌ ଭିତରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ୁଛି । ମୌଳିକ ମାନବିକ ଅଧିକାରରୁ ସେ ବଞ୍ଚିତ ହୋଇଛନ୍ତି ।

ପାକିସ୍ତାନୀ ମିଡିଆ ହାଉସ୍ ‘ଡନ୍’ ମୁତାବକ, ୭୧ ବର୍ଷୀୟ ପିଟିଆଇ ମୁଖ୍ୟ ବ୍ରିଟିଶ ଗଣମାଧ୍ୟମ ‘ଦ ସଣ୍ଡେ ଟାଇମ୍ସ’କୁ ଦେଇଥିବା ଏକ ସାକ୍ଷାତକାରରେ ଏହି ସବୁ ଅଭିଯୋଗ ଆଣିଛନ୍ତି । ସାକ୍ଷାତକାରରେ ସେ କହିଛନ୍ତି, ‘ମୋତେ ୭ ଫୁଟିଆ ଡେଥ୍‌ ସେଲ୍‌ରେ ରଖାଯାଇଛି । ସାଧାରଣତଃ ଆତଙ୍କବାଦୀଙ୍କ ପାଇଁ ଏଗୁଡ଼ିକ ବ୍ୟବହୃତ ହୋଇଥାଏ । ଏହା ଏକାନ୍ତ କାରାବାସ, ଯେଉଁଠି ହଲ୍‌ଚଲ୍‌ ପାଇଁ ମଧ୍ୟ ଜାଗା ନ ଥାଏ ।

ଇମ୍ରାନ ଆହୁରି କହିଛନ୍ତି, ଏଜେନ୍ସିଗୁଡ଼ିକ ଲଗାତାର ମୋ ଉପରେ ନଜର ରଖିଛନ୍ତି । ୨୪ ଘଣ୍ଟା ଏବଂ ସପ୍ତାହ ୭ ଦିନ ମୋର ରେକର୍ଡ କରାଯାଉଛି । କାହା ସହିତ ମୋତେ ସାକ୍ଷାତ କରିବାକୁ ଅନୁମତି ଦିଆଯାଉ ନାହିଁ । ପେନ୍‌ସିଲ ଓ କାଗଜ ରଖିବାକୁ ମଧ୍ୟ ଦିଆଯାଉ ନାହିଁ । ମୌଳିକ ଅଧିକାରରୁ ବଞ୍ଚିତ ରଖାଯାଇଛି’ ।

କହି ରଖୁଛୁ, ୩ଟି ଭିନ୍ନ ଭିନ୍ନ ମାମଲାରେ ଇମ୍ରାନ ଖାନ ଜେଲରେ ଅଛନ୍ତି । ପ୍ରଥମ ହେଉଛି ତୋସଖାନା ଦୁର୍ନୀତି ମାମଲା, ଦ୍ୱିତୀୟରେ ସିଫର ମାମଲା ଏବଂ ତୃତୀୟରେ ଅଣ ଇସଲାମିକ ବିବାହ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୧ ବର୍ଷ ଧରି ରାୱଲପିଣ୍ଡିର ଉଚ୍ଚ ସୁରକ୍ଷା ବିଶିଷ୍ଟ ଅଦିୟାଲା ଜେଲରେ ରଖାଯାଇଛି । ଏଠାରେ ତାଙ୍କ ପତ୍ନୀ ବୁଶ୍‌ରା ବିବି ମଧ୍ୟ ଅଛନ୍ତି ।