କାଙ୍ଗାଳ ସ୍ଥିତିରେ ପାକିସ୍ତାନ! ଆଜି ଇମ୍ରାନ ଖାନ ଯାଉଛନ୍ତି ଚୀନ; ସି ଜିନପିଙ୍ଗ୍‌ଙ୍କୁ ମାଗିବେ ୩ ବିଲିୟନ ଡଲାରର ଋଣ

ପାକିସ୍ତାନ ଉପରେ ବୈଦେଶିକ ଋଣ ଭାର ବଢ଼ିବାରେ ଲାଗିଛି। ତଥାପି ଏହି ଦେଶ ନୂଆ ଋଣ ନେବାକୁ ବାଧ୍ୟ ହେଉଛି, ଯାହାର ଏକମାତ୍ର କାରଣ ହେଲା, ପାକିସ୍ତାନର ଦୁର୍ବଳ ଅର୍ଥବ୍ୟବସ୍ଥା। ସାଉଦି ଆରବରୁ ବହୁତ କଡ଼ା ସର୍ତ୍ତରେ ୩ ବିଲିୟନର କ୍ୟାଶ ରିଜର୍ଭ ହାସଲ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୩ ଫେବୃଆରୀରେ ଚୀନ ଗସ୍ତରେ ଯାଉଛନ୍ତି। ଯଦିଓ ତାଙ୍କର ଏହି ଗସ୍ତ ବେଜିଂରେ ୪ ଫେବୃଆରୀରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହ ପାଇଁ ରହିଛି। କିନ୍ତୁ ଅସଲ ଉଦ୍ଦେଶ୍ୟ ହେଉଛି, ସେଠାରୁ ବି ଋଣ ପ୍ରାପ୍ତ କରିବା। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଇମ୍ରାନ ଖାନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କଠାରୁ ୩ ବିଲିୟନ ଡଲାରର ଋଣ ମାଗିବାକୁ ଯାଉଛନ୍ତି।

ଏଠାରେ ପ୍ରକାଶିତ ଏକ ରିପୋର୍ଟରେ ଇମ୍ରାନଙ୍କ ଚୀନ୍ ଗସ୍ତର ଅସଲ ଉଦ୍ଦେଶ୍ୟ ବିଷୟରେ କୁହାଯାଇଛି। ଏହା ମୁତାବକ, ଇମ୍ରାନଙ୍କ ସହ ୬ ମନ୍ତ୍ରୀ ମଧ୍ୟ ଚୀନ୍ ଯାଉଛନ୍ତି। ତାଙ୍କର ଏହି ଯାତ୍ରା ୩ ଫେବୃଆରୀରୁ ଆରମ୍ଭ ହେବ। ମଜାଦାର କଥା ହେଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଇମ୍ରାନ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇ ପାରିବ କି ନାହିଁ। କାହିଁକି ନା, ଚୀନ୍ ଏ ପର୍ଯ୍ୟନ୍ତ ସାମ୍ନାସାମ୍ନି ସାକ୍ଷାତକୁ ମଞ୍ଜୁରୀ ଦେଇ ନାହିଁ।

ପ୍ରଥମ ଋଣ ଫେରସ୍ତ କରି ନାହିଁ ପାକିସ୍ତାନ

ରିପୋର୍ଟ ମୁତାବକ, ୨୦୧୮ରେ କ୍ଷମତାକୁ ଆସିବା ପରେ ଇମ୍ରାନ ସରକାର ଚୀନଠାରୁ ୧୧ ବିଲିୟନ ଡଲାରର ଋଣ ନେଇଥିଲେ। ଏହାର କେବଳ ସୁଧ ଦିଆଯାଇ ଚାଲିଛି, ମୂଳ ଧନ ଏ ପର୍ଯ୍ୟନ୍ତ ଫେରସ୍ତ କରାଯାଇ ନାହିଁ। ଏଥିରୁ ୪ ବିଲିୟନ ଡଲାର ବୈଦେଶିକ ଭଣ୍ଡାର ରୂପେ ପାକିସ୍ତାନୀ ବ୍ୟାଙ୍କଗୁଡ଼ିକରେ ଜମା ରହିଛି। ଅନ୍ୟ ଶବ୍ଦରେ କହିବାକୁ ଗଲେ, ପାକିସ୍ତାନ ଏହି ଟଙ୍କା ବ୍ୟବହାର କରି ପାରିବ ନାହିଁ। ତେବେ ବର୍ତ୍ତମାନ ସମସ୍ୟା ହେଉଛି କି, ଖୋଦ୍‌ ପାକିସ୍ତାନୀ ଅଧିକାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ବିଶ୍ୱାସ ହେଉ ନାହିଁ ଯେ ଚୀନ୍ ଆହୁରି ୩ ବିଲିୟନ ଡଲାର ଋଣ ଦେବ।

ବୈଦେଶିକ ଭଣ୍ଡାରର କ’ଣ ହେବ

ରିପୋର୍ଟରେ କୁହାଯାଇଛି, ପାକିସ୍ତାନ ପାଖରେ ଏବେ ମାତ୍ର ୧୬.୧ ବିଲିୟନ ଡଲାରର ବୈଦେଶିକ ଏକ୍ସଚେଞ୍ଜ ଗଚ୍ଛିତ ରହିଛି। ଏହାକୁ ଟେକ୍ନିକାଲ୍ ଭାବରେ ଫରେକ୍ସ ରିଜର୍ଭ କୁହାଯାଇଥାଏ। ଖାସ୍‌ କଥା ହେଉଛି, ଏଥିରେ ଚୀନ୍, ସାଉଦି ଆରବ ଏବଂ ୟୁଏଇର ଟଙ୍କା ରହିଛି। ସେମାନେ ଏହାକୁ କୌଣସି ବି ସମୟରେ ଉଠାଇ ନେଇ ପାରିବେ। ଆଉ ଯଦି ଏମିତି ହୁଏ, ତା’ ହେଲେ ପାକିସ୍ତାନକୁ ଦେବାଳିଆ ହେବାକୁ ଅଧିକ ସମୟ ଲାଗିବ ନାହିଁ। ସାଉଦି ଆରବ ୨୪ ଘଣ୍ଟା ଭିତରେ ଋଣ ପରିଶୋଧ କରିବାକୁ ସର୍ତ୍ତ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.