ଗୁଳିମାଡ଼ିରେ ଆହତ ପରେ ମୁହଁ ଖୋଲିଲେ ଇମ୍ରାନ ଖାନ: ହସ୍ପିଟାଲରୁ ସାମ୍ବାଦିକ ସମ୍ମିଳନୀ କରି କହିଲେ, ଆକ୍ରମଣ ହେବ ବୋଲି ଜାଣିଥିଲି

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ଆକ୍ରମଣ ପରେ ଗତକାଲି ଲାହୋରର ଏକ ଘରୋଇ ହସ୍ପିଟାଲରେ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନ କହିଛନ୍ତି, ସେ ଜାଣିଥିଲେ ତାଙ୍କ ଉପରେ ଆକ୍ରମଣ ହେବାକୁ ଯାଉଛି । ତାଙ୍କ ଗୋଡ଼ରେ ଚାରୋଟି ଗୁଳି ବାଜିଥିବା ଇମ୍ରାନ କହିଛନ୍ତି। ଏହି ଅଭିଯୋଗ କରିବା ସହିତ ଇମ୍ରାନ ଶାହାବାଜ ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା । ଏପରିକି ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ସରକାରୀ ଟଙ୍କାର ବ୍ୟବହାର ମଧ୍ୟ କରାଯାଇଥିଲା ।

ଏହା ମଧ୍ୟ କହିଛନ୍ତି ତାଙ୍କ ଦଳର ଏକାଧିକ ନେତାଙ୍କୁ ଧମକପୂର୍ଣ୍ଣ ଫୋନ ମଧ୍ୟ ଆସିଥିଲା । ଏହି ସମୟରେ ହସ୍ପିଟାଲରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର, ଗୋଡ଼ର ଏକ୍ସରେ କପି ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଥିଲେ । ଏହି ଗୁଳିକାଣ୍ଡ ଘଟଣାରେ ମୁଖ୍ୟତଃ ୩ ଜଣଙ୍କୁ ଦାୟୀ କରିଛନ୍ତି ଇମ୍ରାନ । ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ, ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଆଇଏସ୍ଆଇ ମୁଖ୍ୟ ଫେଜଲ ନାସୀରଙ୍କୁ ଦାୟୀ କରିଛନ୍ତି । ତେବେ ଏହି ଅଭିଯୋଗକୁ ସେହବାଜ୍ ସରିଫ ସରକାର ଖଣ୍ଡନ କରିଥିବା ବେଳେ ଘଟଣାର ଏକ ନିରପେକ୍ଷ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଇମ୍ରାନ ଖାନ କହିଛନ୍ତି, ସରକାର ମୋର ଦୀର୍ଘ ପଦଯାତ୍ରାକୁ ଡରୁଛନ୍ତି। ଦେଶର ଲୋକମାନେ ମୋ ସହିତ ଅଛନ୍ତି। ପିଟିଆଇ ନେତା କହିଛନ୍ତି, ମୋ ଉପରେ ଏହି ଆକ୍ରମଣ କରାଯାଇଥିଲା। ମୁଁ ଯିବାର ଗୋଟିଏ ଦିନ ପୂର୍ବରୁ ମୁଁ ଜାଣିଲି ଯେ ସେମାନେ ୱାଜିରାବାଦ କିମ୍ବା ଗୁଜୁରାଟରେ ମୋତେ ହତ୍ୟା କରିବାକୁ ଯୋଜନା କରିଛନ୍ତି। ଇମ୍ରାନ ଖାନ କହିଛନ୍ତି, ମୁଁ ଲୋକମାନଙ୍କ ମଧ୍ୟରେ ଆସିଛି। ମୋର ଦଳ ସାମରିକ ପ୍ରତିଷ୍ଠାନ ଅଧୀନରେ ଗଠନ ହୋଇନଥିଲା। ମୁଁ 22 ବର୍ଷ ଧରି ଯୁଦ୍ଧ କରିଛି।  ମୋତେ ହତ୍ୟା କରିବାକୁ ଚାରିଜଣ ଷଡଯନ୍ତ୍ର କରିଥିଲେ। ମୋର ଏକ ଭିଡିଓ ଅଛି, ଯଦି ମୋ ସହିତ କିଛି ଘଟେ ତେବେ ଭିଡିଓ ରିଲିଜ୍ ହେବ।

ସୂଚନା ଯୋଗ୍ୟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଦିନ ହୋଇଥିବା ମର୍ମନ୍ତୁଦ ଆକ୍ରମଣ ପରେ ଲାହୋରର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ଦିନ ୱାଜିରାବାଦରେ ତାଙ୍କ ଗୋଡରେ ଗୁଳି ବାଜିଥିଲା। ଏଥିସହିତ ସେ ଶୁକ୍ରବାର ଦିନ ହସ୍ପିଟାଲରୁ ଦେଶକୁ ସମ୍ବୋଧିତ କରିଥିଲେ। ଇମ୍ରାନ ତାଙ୍କ ସମ୍ବୋଧନ ସମୟରେ ପିଏମଏଲ-ଏନ- ଏବଂ ପିପିପି ଉପରେ ଜୋରଦାର ଆକ୍ରମଣ କରିଥିଲେ । ସେ କହିଥିଲେ କି ଦୁଇ ଦଳ ବିପୁଳ ମାତ୍ରାରେ ଦୁର୍ନୀତିରେ ବୁଡି ରହିଛନ୍ତି । ଏହି ସାମ୍ବୋଧନରେ ଇମ୍ରାନ ସେନାକୁ ମଧ୍ୟ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ, ଲୋକେ ମୋତେ ଭୋଟ୍ ଦେଇଥିଲେ । କିନ୍ତୁ ସେମାନେ(ସୈନ୍ୟ) ନିଷ୍ପତି ନେଇଥିଲା ଯେ, ଏବେ ସମୟ ଆସି ସାରିଛି କି ସେମାନେ ମୋତେ ରାସ୍ତାରୁ ହଟାଇ ଦେବେ ।

 

ଇମ୍ରାନଙ୍କ ଉପରେ ଗୁଳିମାଡ଼ ପରେ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ତାଲା ପକାଇବ ବୋଲି ଶେହବାଜ ସରିଫ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଇସଲାମାବାଦରେ ତାଲା ପକାଇବା ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ। ଏପରିକି ମଦ୍ରାସା, ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରିଦେଇଛି ପ୍ରଶାସନ । ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି ।

 

Leave A Reply

Your email address will not be published.