ଯୋଡ଼ି ହେବ ନୂଆ ଅଧ୍ୟାୟ , ଆଜିଠାରୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ
ଏହି ଅଧିବେଶନରେ ଆଗତ ହୋଇପାରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ବିଲ୍ ଉପରେ କ୍ୟାବିନେଟ୍ ମୋହର ବାଜିଛି ।
ନୂଆଦିଲ୍ଲୀ (କେନ୍ୟୁଜ): ସଂସଦୀୟ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଆଜିଠାରୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ। ଏହି ଅଧିବେଶନରେ ଆଗତ ହୋଇପାରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ବିଲ୍ ଉପରେ କ୍ୟାବିନେଟ୍ ମୋହର ବାଜିଛି । ସ୍ବତନ୍ତ୍ର ଅଧିବେଶନ ଐତିହାସିକ ହେବ ବୋଲି ଗତକାଲି ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ କହିଥିଲେ ପ୍ରଧାନମନ୍ତ୍ରୀ । ତେଣୁ ମହିଳା ସଂରକ୍ଷଣ ବିଲ ପାସ କରି ସ୍ବତନ୍ତ୍ର ଅଧିବେଶନକୁ ଐତିହାସିକ କରିବେ କେନ୍ଦ୍ର ସରକର । ଆଜି ଲୋକସଭାରେ ଏହି ବିଲ୍ ଆଗତ ହୋଇପାରେ । ପ୍ରାୟ ୨୭ ବର୍ଷ ହେବ ପଡ଼ି ରହିଥିବା ମହିଳା ସଂରକ୍ଷଣ ବିଲକୁ ନେଇ ଚର୍ଚ୍ଚା ଜୋର । ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ଏହି ବିଲ୍ ଆଣିବା ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ସାଂସଦ ଦାବି କରିଥିଲେ । ସଂସଦରେ ଆଗତ ହେବା ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ । ବିଲ୍ ଗୃହୀତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ । ଏମିତି ହେଲେ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି ପାଇବ । ମହିଳା ସଂରକ୍ଷଣ ନେଇ ବିଜେଡି ବହୁ ଆଗରୁ ଦାବି କରି ଆସୁଛି। ୨୦୧୮ରେ ବିଧାନସଭାରେ ସର୍ବସମ୍ମତିରେ ମହିଳା ସଂରକ୍ଷଣ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂସଦରେ ବାରମ୍ବାର ଏ ପ୍ରସଙ୍ଗ ଉଠାଉଛି ଦଳ। ସ୍ବତନ୍ତ୍ର ଅଧିବେଶନ ଲାଗି ସର୍ବଦଳୀୟ ବୈଠକରେ ବିଜେଡି ଦାବି ଦୋହରାଇଥିଲା । ଗତକାଲି ରାଜ୍ୟସଭାରେ ମଧ୍ୟ ଦଳ ଏ ପ୍ରସଙ୍ଗ ଉଠାଇଥିଲା।