ଓମିକ୍ରନ୍‌ ଭୟ: ବିଦେଶୀ ବିମାନ ଯାତ୍ରୀଙ୍କ ପାଇଁ ବିଏମ୍‌ସି ଜାରି କଲା ନୂଆ ଗାଇଡ୍‌ଲାଇନ୍‌

ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍‌ ମିଳିବା ପରେ ସାରା ଦୁନିଆରେ ଏବେ ଭୟର ବାତାବରଣ ଦେଖାଦେଇଛି। ଲୋକମାନେ ପୁଣି ଥରେ ଲକ୍‌ଡାଉନ୍‌ ହୋଇଯିବ ଭାବି ଡରିଯାଇଛନ୍ତି। ତେବେ ଇତି ମଧ୍ୟରେ ମୁମ୍ବାଇ ପ୍ରଶାସନ ଏ ନେଇ କଠୋର ହୋଇଛି। ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଏୟାରପୋର୍ଟକୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ଓ ଜିନୋମ୍‌ ସିକ୍ୱେନ୍ସିଂ କରିବାକୁ ନିଷ୍ପତ୍ତି ନେଇଛି ମୁମ୍ବାଇ ପ୍ରଶାସନ। ମୁମ୍ବାଇର ମେୟର କିଶୋରୀ ପେଡନେକର କହିଛନ୍ତି, ଯଦି କାହାକୁ କରୋନା ହୋଇଥିବାର ଜଣାପଡ଼େ ତେବେ ତାଙ୍କର ଜିନୋମ୍‌ ସିକ୍ୱେନ୍ସିଂ କରାଯିବ।

ଦକ୍ଷିଣ ଆଫ୍ରିକାରୁ ଆସିଥିବା କରୋନାର ନୂଆ ଭ୍ୟାରିଏଣ୍ଟ ଏବେ ଅନ୍ୟ ଦେଶରେ ମଧ୍ୟ ପହଞ୍ଚିସାରିଲାଣି। ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ଯୋଗୁ କିଛି ଦେଶର ବିମାନ ବନ୍ଦରରେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବିମାନକୁ ବ୍ୟାନ୍‌ କରିବାକୁ ମଧ୍ୟ ଘୋଷଣା ହୋଇଛି। ଏଭଳି ସ୍ଥିତିରେ ମୁମ୍ବାଇ ମଧ୍ୟ ଏବେ ନୂଆ ଗାଇଡ୍‌ଲାଇନ୍‌ ଜାରି କରି ବିଦେଶ ଆସୁଥିବା ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିଷ୍ପତ୍ତି ନେଇଛି।


ଏ ନେଇ ମୁମ୍ବାଇ ମେୟର କହିଛନ୍ତି- କରୋନାର ନୂଆ ଭ୍ୟାରିଏଣ୍ଟକୁ ନେଇ ମୁମ୍ବାଇରେ ଚିନ୍ତା ବଢ଼ିଛି। ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେମାନଙ୍କର ଜିନୋମ୍‌ ସିକ୍ୱେନ୍ସିଂ କରିବା ନିଷ୍ପତ୍ତି ହୋଇଛି। ତେବେ ବିଦେଶ ଯାଇଥିବା ବିମାନ ଉପରେ କୌଣସି ରୋକ୍‌ ଲଗାଯାଇନାହିଁ। ଏହି ନିଷ୍ପତ୍ତି ପୂର୍ବ ଅନୁଭବକୁ ଦେଖି ନିଆଯାଇଥିବା ନେଇ ମେୟର କହିଛନ୍ତି।

କିଶୋରୀ ପେଡନେକର କହିଛନ୍ତି- ଅନ୍ୟ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଏଣୁ ବାହାରୁ ଆସୁଥିବା ଲୋକଙ୍କର ଜିନୋମ୍‌ ଟେଷ୍ଟ କରାଯିବ। ଏଣୁ ମୁଁ ସମସ୍ତଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବାକୁ ଓ ମାସ୍କ ପିନ୍ଧିବାକୁ ଅନୁରୋଧ କରୁଛି। ଏହା ଦ୍ୱାରା ହିଁ ମହାମାରୀକୁ ରୋକି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.