ବ୍ରିଜ୍ ଟ୍ରାଜେଡି: ୧୭ ଟଙ୍କିଆ ଟିକେଟ୍ରେ ଲେଖାଥିଲା ଚେତାବନୀ; ‘ଝୁଲା ପୋଲକୁ କ୍ଷତି ପହଞ୍ଚାଇଲେ କଠୋର କାର୍ଯ୍ୟାନୁଷ୍ଠାନ’! ସାମ୍ନାକୁ ଆସିଲା ଫଟୋ

ଗୁଜରାଟର ମୋରବୀରେ ରବିବାର ହୋଇଥିବା ବ୍ରିଜ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ୭୦ ପର୍ଯ୍ୟଟକ ଏଥିରେ ଗୁରୁତର ଆହତ ହୋଇଛନ୍ତି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ବାକି ପର୍ଯ୍ୟଟକଙ୍କୁ ନଦୀରୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏହାରି ଭିତରେ ବ୍ରିଜ୍ର ୨ଟି ଟିକେଟ୍ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଯଦି ପୁଲ୍ (ଝୁଲା ପୋଲ)କୁ କେହି କ୍ଷତି ପହଞ୍ଚାଇବେ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
୧୨ ଏବଂ ୧୭ ଟଙ୍କା ମୂଲ୍ୟର ଟିକେଟ୍ରେ ଲେଖାହୋଇଛି, ‘ଝୁଲା ପୋଲ ଉପରେ କୌଣସି କ୍ଷତି ହେଲେ କିମ୍ବା କେହି କ୍ଷତି ପହଞ୍ଚାଇଲେ, ତ ସେହି ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଝୁଲା ପୋଲର କର୍ମଚାରୀ ଟିକେଟ୍ ମାଗିଲେ, ସେତେବେଳେ ଆପଣ ତାହା ଦେଖାଇବେ ଏବଂ Exit ପରେ ଟିକେଟ୍ର ମାନ୍ୟତା ସମାପ୍ତ ହୋଇଯିବ’।

ସୂଚନା ମୁତାବକ, ବ୍ରିଜ୍ ଉପରେ ବୁଲିବା ପାଇଁ ବୟସ୍କ ପର୍ଯ୍ୟଟକଙ୍କ ଲାଗି ଟିକେଟ୍ ମୂଲ୍ୟ ୧୭ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ପିଲାଙ୍କ ପାଇଁ ୧୨ ଟଙ୍କା ରଖାଯାଇଥିଲା। ବ୍ରିଟିଶ କାଳରେ ତିଆରି ହୋଇଥିବା ଏହି ଝୁଲା ପୋଲର ଲମ୍ବା ଥିଲା ୨୩୩ ମିଟର ଏବଂ ଚଉଡ଼ା ଥିଲା ୧.୨୫ ମିଟର। ଏହି ବ୍ରିଜ୍କୁ ୭ ମାସର ନବୀକରଣ ପରେ ୫ ଦିନ ତଳେ ପୁନଃ ଖୋଲା ଯାଇଥିଲା, ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ରହିଛି, ବ୍ରିଜ୍କୁ ଫିଟନେସ୍ ସାର୍ଟିଫିକେଟ୍ ଦିଆଯାଇ ନ ଥିଲା। ବ୍ରିଜ୍ ଉପରେ କ୍ଷମତାଠୁ ଅଧିକ ଲୋକ ଚଢ଼ିଥିଲେ, ଯାହାଫଳରେ ଏହା ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ବ୍ରିଜ୍ର କ୍ଷମତା ଥିଲା ୧୦୦, କିନ୍ତୁ ରବିବାର ପାଖାପାଖି ୪୦୦ ଟିକେଟ୍ ବିକ୍ରି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
କହି ରଖୁଛୁ, ଏକ ଘରୋଇ ସଂସ୍ଥା ଏହି ବ୍ରିଜ୍ର ନବୀକରଣ କାର୍ଯ୍ୟ ହାତକୁ ନେଇଥିଲା। ଏଥିରେ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ତେବେ ପ୍ରଶାସନର ଦାୟିତ୍ୱହୀନତାକୁ ନେଇ ଉଠୁଥିବା ପ୍ରଶ୍ନ ଭିତରେ ଗୁଜରାଟ ସରକାର ଘଟଣାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିଛନ୍ତି। ମୋରବୀ ଦୁର୍ଘଟଣାକୁ ନେଇ ସମ୍ପୃକ୍ତ ସଂସ୍ଥା ବିରୋଧରେ ୩୦୪, ୩୦୮ ଏବଂ ୧୧୪ ଅଧୀନରେ ଆପରାଧିକ ମାମଲା ରୁଜୁ କରାଯାଇଛି। ଆଜି ଠାରୁ ଏହାର ତଦନ୍ତ ଆରମ୍ଭ ହୋଇଛି।