କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି, ମାରାତ୍ମକ ରୂପ ନେଉଛି ଓମିକ୍ରନର ସବ ଭାରିଆଣ୍ଟ BF.7

ପୁଣି କାୟା ମେଲାଉଛି କରୋନା । ଓମିକ୍ରନର ସବ୍-ଭାରିଆଣ୍ଟ BF.7 ମାରାତ୍ମକ ହେଉଛି । ଚୀନ୍ରୁ ନେଇ ଜାପାନ, ଆମେରିକା କେସ୍ ଭୟଙ୍କର ଭାବରେ ମାଡୁଛି । ପୁଣି ଉପରମୁହାଁ ସଂକ୍ରମଣ । ଭାରତରେ ସ୍ଥିତି ନିୟନ୍ତ୍ରଣ ଥିଲେ ବି ଆଲର୍ଟ କରାଇଛନ୍ତି କେନ୍ଦ୍ର ସରକାର । ଆଜି ଦେଶରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅପରାହ୍ନରେ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଦେଶରେ କଣ ରହିଛି ସ୍ଥିତି, ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ, ଟେଷ୍ଟ, ଟ୍ରାକ୍, ଟ୍ରେସିଂ ଓ ଟିକାକରଣ ନେଇ ସମୀକ୍ଷା କରିପାରନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ଦେଶରେ କୋଭିଡ୍ ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଦୁଇଟି ମାମଲା ଗୁଜରାଟରେ ଠାବ ହୋଇଥିବା ବେଳେ ଆଉ ଗୋଟିଏ ମାମଲା ଓଡ଼ିଶାରେ ଠାବ ହୋଇଛି ।

ଗତ ୨୪ ଘଣ୍ଟାରେ ଦେଶରୁ ୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଥିବା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଆଗକୁ ନୂଆ ଭାରିଆଣ୍ଟ ସଂକ୍ରମିତ ଦେଶକୁ ବିମାନ ସେବା ଉପରେ କଚକଣା ନେଇ ଆଜିର ବୈଠକରେ ଆଲୋଚନା ହୋଇପାରେ । ସଂକ୍ରମିତଙ୍କର ଜିନୋମ୍ ସିକ୍ୱେନସିଂ ଉପରେ ଫୋକସ୍ କରିବାକୁ ସବୁ ରାଜ୍ୟକୁ ନିକଟରେ ଚିଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.