ଆଫଗାନିସ୍ତାନରେ ଫସି ରହିଥିବା ନାଗରିକଙ୍କ ପାଇଁ ଜରୁରୀକାଳୀନ ‘ଇ-ଭିସା ଘୋଷଣା କଲା ଭାରତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ପରଠାରୁ ସେଠାରେ ଅଟକି ରହିଥିବା ସବୁ ଧର୍ମର ନାଗରିକ ମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି କରାଯାଇଛି । ଏପରି ଲୋମଟାଙ୍କୁରା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଭାରତକୁ ଆସିବାକୁ ଚାହୁଁଥିବା ଆଫଗାନିସ୍ତାନ ନାଗରିକଙ୍କ ପାଇଁ ଜରୁରୀକାଳୀନ ‘ଇ-ଭିସା’ ପ୍ରଦାନ କରାଯିବ ବୋଲି ଭାରତ ଘୋଷଣା କରିଛି ।

ଖବର ଅନୁସାରେ ଯେ କୌଣସି ଧର୍ମର ସମସ୍ତ ଆଫଗାନିସ୍ତାନ ନାଗରିକ ‘ଇ-ଜରୁରୀକାଳୀନ ଏବଂ ଅନ୍ୟାନ୍ୟ ଭିସା’ ପାଇଁ ଅନଲାଇନରେ ଆବେଦନ କରିପାରିବେ ଏବଂ ସେମାନଙ୍କର ଆବେଦନ ନୂଆଦିଲ୍ଲୀରେ ପ୍ରକ୍ରିୟାକରଣ କରାଯିବ। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ଦୁଇ ଦିନ ପରେ ଏହି ଘୋଷଣା କରାଯାଇଥିଲା । ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, “ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଭିସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଭାରତରେ ପ୍ରବେଶ ପାଇଁ ଭିସା ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଏକ ନୂତନ ବର୍ଗ ‘ଇ-ଜରୁରୀକାଳୀନ ଏବଂ ଅନ୍ୟାନ୍ୟ ଭିସା’ କରାଯାଇଛି |

ଅନ୍ୟପଟେ ଅଧିକାରୀ କହିଛନ୍ତି ଯେ ଆଫଗାନିସ୍ତାନରେ ଭାରତର ମିଶନ ବନ୍ଦ ହେତୁ ଅନଲାଇନରେ ଭିସା ଆବେଦନ କରାଯାଇପାରିବ ଏବଂ ନୂଆଦିଲ୍ଲୀରେ ଏହି ଆବେଦନଗୁଡ଼ିକର ଯାଞ୍ଚ କରାଯିବ। ଏବଂ ପ୍ରଥମେ ଭିସା ୬ ମାସ ପାଇଁ ଏହା ଦିଆଯିବ । ଏହା ସହିତ ଆବେଦନ ପ୍ରକ୍ରିୟାକରଣ ଏବଂ ଆଫଗାନିସ୍ତାନ ନାଗରିକଙ୍କୁ ଭିସା ପ୍ରଦାନ କରିବା ସମୟରେ ସୁରକ୍ଷା ପ୍ରସଙ୍ଗ ଉପରେ କଡାକଡି ଭାବରେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି। ସମସ୍ତ ଧର୍ମର ଆଫଗାନିସ୍ତାନ ନାଗରିକମାନେ ଭିସା ପାଇଁ ଆବେଦନ କରିପାରିବେ।

ସୂଚନା ଯୋଗ୍ୟ , ସୋମବାର ଦିନ ହଜାର ହଜାର ଆଫଗାନିସ୍ତାନ ନାଗରିକ କାବୁଲର ମୁଖ୍ୟ ବିମାନବନ୍ଦରରେ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଥିଲା । ଏବଂ ସେମାନଙ୍କ ମଧ୍ୟରୁ କେତେକ ତାଲିବାନରୁ ଖସିଯାଇ ନିଜ ଜୀବନକୁ ବଞ୍ଚାଇବା ପାଇଁ ଏତେ ହତାଶ ହୋଇଥିଲେ ଯେ ଏକ ସେନା ବିମାନ ଟାୟାରରେ ପ୍ରାଣ ବିକଳରେ ଚଢ଼ି ଯାଇଥିଲେ ଫଳରେ ସେମାଙ୍କ ମଧ୍ୟରୁ କେତେଜଣ ଖସିଯାଇ ତଳେ ପଡ଼ିଯିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.