କୃଷି ଆଇନକୁ ନେଇ ବ୍ରଟେନ୍‌କୁ ଭାରତର ଚେତାବନୀ : ‘ଆମ ସହ ଭୋଟ୍‌ ବ୍ୟାଙ୍କ ରାଜନୀତି କରନି’

ନୂଆଦିଲ୍ଲୀ :  କୃଷି ଆଇନକୁ ନେଇ ଭାରତରେ ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନ ଥମିନାହିଁ । ଏପଟେ ଏହାକୁ ନେଇ ଅନ୍ୟ ଦେଶରେ ମଧ୍ୟ ରାଜନୀତି ଆରମ୍ଭ ହୋଇଛି । ଏବେ ବ୍ରିଟିଶ୍‌ ସଂସଦରେ ଭାରତର ନୂଆ କୃଷି ଆଇନକୁ ନେଇ ବିତର୍କ ଚାଲିଛି । ଏହାକୁ ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ନିକଟରେ ବିବିସିର ଏକ ଲାଇଭ ଶୋ’ରେ ପଞ୍ଜାବୀଙ୍କ ପଗଡିକୁ ନେଇ ଜଣେ କଲର (ଫୋନ୍‌ କର୍ତ୍ତା) ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲା ।

ଭାରତ ବ୍ରିଟିଶ୍‌ ସଂସଦରେ ଭାରତର ନୂଆ କୃଷି ଆଇନ ବିତର୍କକୁ ନେଇ ସୃଷ୍ଟ ଅସନ୍ତୋଷକୁ ନୂଆଦିଲ୍ଲୀ ସ୍ଥିତ ବ୍ରିଟିଶ ହାଇକମିଶନଙ୍କୁ ଜଣାଇ ଦେଇଛି । ଏକ ବୟାନରେ ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏକ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ ଦେଶର ହସ୍ତକ୍ଷେପ ଠିକ୍‌ ନୁହେଁ । ତେଣୁ ବ୍ରିଟିଶ ସାଂସଦମାନେ ଅନ୍ୟ ଦେଶର ତଥ୍ୟକୁ ବିଭ୍ରାନ୍ତି କରି ଭୋଟ୍‌ ବ୍ୟାଙ୍କ୍‌ ରାଜନୀତି କରିବା ଉଚିତ୍‌ ନୁହେଁ ।

ବ୍ରିଟିଶ ସଂସଦରେ ଭାରତର କୃଷି ସଂସ୍କାର ଆଇନ ଉପରେ ଉଭୟେ ଲେବର ପାର୍ଟି ସହ କଞ୍ଜରଭେଟିଭ ପାର୍ଟିର ସାଂସଦମାନେ ଭାଗ ନେଇ ଆଲୋଚନା କରିଥିଲେ । ଭାରତ ପକ୍ଷରୁ ଆହୁରି କୁହାଯାଇଛି ଯେ କେଉଁ ଦେଶର ସଂସଦରେ କ’ଣ ଆଲୋଚନା ହେଲା ସେଥିରେ ଭାରତର କିଛି ଯାଏ ଆସେ ନାହିଁ । ହେଲେ ଯେତେବେଳେ ଏଥିରେ ଭାରତର ନାମ ଉଠେ ସେତେବେଳେ ଏହାକୁ ସ୍ପଷ୍ଟ କରିବାର ଆବଶ୍ୟକତା ପଡ଼ିଥାଏ ବୋଲି ଭାରତ ଦୃଢ଼ ଭାବରେ କହିଛି ।