କ୍ଷେପଣାସ୍ତ୍ରକୁ ଖସାଇବ ଲେଜର ଅସ୍ତ୍ର, ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ବଡ଼ ସଫଳତା

ନୂଆଦିଲ୍ଲୀ : ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ବିମାନ, କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ରୋକିବାକୁ ପ୍ରତିରକ୍ଷା ଗବେଷଣା ସଂସ୍ଥାନ ଡିଆରଡିଓ ବିକଶିତ କରିଛି ଲେଜର ଅସ୍ତ୍ର । ଡିଆରଡିଓ ଦ୍ୱାରା ବିକଶିତ ଏହି ଡାଇରେକ୍ଟେଡ ଏନର୍ଜି ୱିପନ DEWର ଉତ୍ପାଦନ ଆରମ୍ଭ କରି ଖୁବଶୀଘ୍ର ଏହାକୁ ବିଭିନ୍ନ ସମ୍ବେଦନଶୀଳ ସାମରିକ ଘାଟିରେ ମୁତୟନ କରାଯିବ । ଏହି ଅତ୍ୟାଧୁନିକ ଲେଜର ୱିପନ ବିକଶିତ କରି ଆମେରିକା, ଚୀନ ଓ ରୁଷର ସମକକ୍ଷ ହୋଇଛି ଭାରତ । ଆକାଶ ମାର୍ଗରୁ ହେଉଥିବା ଡ୍ରୋନ ଏବଂ ହେଲିକପ୍ଟର ଆକ୍ରମଣ ରୋକିବାରେ ଏହି ଲେଜର ୱିପନ୍ ବେଶ ସହାୟକ ହେବ। ଲେଜର ୱିପନର ଲକ୍ଷ୍ୟ ଭେଦ କ୍ଷମତା ୨୦ କିଲୋମିଟର ରହିଛି। ରେଡିଓ ଓ ସାଟେଲାଇଟ୍ ଯୋଗାଯୋଗ ବିଚ୍ଛିନ୍ନ କରିବାରେ ଲେଜର ୱିପନ ସହାୟକ ହେବ। ଏହା ଉଭୟ ସ୍ଥଳଭାଗ ଏବଂ ଯୁଦ୍ଧଜାହାଜରେ ମଧ୍ୟ ମୁତୟନ ହୋଇପାରିବ। ଦ୍ରୁତଗାମୀ କ୍ଷେପଣାସ୍ତ୍ର ଓ ମାନବବିହୀନ ଡ୍ରୋନ ଆକ୍ରମଣ ରୋକିବାରେ ଲେଜର ୱିପନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।