ପାକିସ୍ତାନ ଅପେକ୍ଷା ଭାରତ ଉପରେ ଅଧିକ ଭରସା! ସହାୟତାକୁ ସ୍ୱାଗତ କଲା ତାଲିବାନ; ଅଟାରୀ ରାସ୍ତାରେ ପଠାଯିବ ଗହମ ଓ ଔଷଧ

ତାଲିବାନ ଭାରତର ସହାୟତାକୁ ସ୍ୱାଗତ କରିଛି। ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନର ସେହି ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରିଛି, ଯେଉଁଥିରେ ପାକ୍‌, ଭାରତକୁ ଆଫଗାନିସ୍ତାନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ରାସ୍ତାକୁ ବ୍ୟବହାର ଲାଗି ଅନୁମତି ଦେଇଛି। କହି ରଖୁଛୁ ଯେ ଭାରତ, ଆଫଗାନିସ୍ତାନକୁ ମାନବିକ ମୂଲ୍ୟବୋଧ ଆଧାରରେ ୫୦ ହଜାର ମେଟ୍ରିକ ଟନ ଗହମ ଏବଂ ଜୀବନରକ୍ଷକ ଔଷଧର ସହାୟତା ଯୋଗାଇ ଦେଉଛି। ନିଜ ସଡ଼କ ପଥରେ ଆଫଗାନିସ୍ତାନକୁ ଭାରତର ସହାୟତାକୁ ଅନୁମତି ଦେଇ ଥିବାରୁ ତାଲିବାନ ପାକିସ୍ତାନକୁ ପ୍ରଶଂସା କରିଛି। ସୂଚନା ରହିଛି, ପାକିସ୍ତାନର ଅଟାରୀ-ଓ୍ଵାଘା ସୀମା ରାସ୍ତାରେ ହିଁ ଭାରତ, ଆଫଗାନିସ୍ତାନକୁ ଗହମ ଏବଂ ଔଷଧ ପଠାଉଛି। ସେପଟେ ତାଲିବାନ ଭାରତୀୟ କୂଟନୀତିଜ୍ଞଙ୍କୁ ଆଫଗାନିସ୍ତାନ ଫେରାଇ ଆଣିବାକୁ ପୁଣିଥରେ ଇଚ୍ଛା ଜାହିର କରିଛି।

ବେହାଲ ଆଫଗାନିସ୍ତାନର ଅବସ୍ଥା

ସୂଚନାଥାଉ କି, ତାଲିବାନ ଜୋର୍‌ ଜବରଦସ୍ତ ଆଫଗାନିସ୍ତାନର ଶାସନ କବ୍‌ଜା କରିବା ପରେ ସେଠାରେ ଖାଦ୍ୟର ଘୋର ଅଭାବ ଲାଗି ରହିଛି। ଚିକିତ୍ସା ପାଇଁ ଔଷଧ ନାହିଁ। ଲୋକମାନେ ଭୋକରେ ପ୍ରାଣ ହରାଇବା ଭଳି ପରିସ୍ଥିତି ଉପୁଜିଛି। ତାଲିବାନର ସବୁଠାରୁ ବଡ଼ ନେତା ବୋଲି ଦାବି କରୁଥିବା ଚୀନ ଓ ପାକିସ୍ତାନ ମଧ୍ୟ ସେଠାକାର ସମସ୍ୟା ଉପରେ କୌଣସି ସହାୟତାର ହାତ ବଢ଼ାଉ ନାହାନ୍ତି।

ଭାରତକୁ କରିଥିଲା ସାହାଯ୍ୟ ନିବେଦନ

ପାକିସ୍ତାନ ଓ ଚୀନଠାରୁ ନିରାଶ ହେବା ପରେ ଆଫଗାନିସ୍ତାନର ତାଲିବାନ ସରକାର ଭାରତକୁ ସହାୟତା ଲାଗି ନିବେଦନ କରିଥିଲା, ଯାହା ପରେ ମାନବିକ ମୂଲ୍ୟବୋଧ ଆଧାରରେ ଭାରତ ମାଗଣାରେ ବୃହତ୍‌ ପରିମାଣରେ ଗହମ ଏବଂ ଔଷଧ ସାମଗ୍ରୀ ଆଫଗାନିସ୍ତାନ ପଠାଉଛି। ପ୍ରଥମେ ପାକିସ୍ତାନର ଇମରାନ ସରକାର ନିଜର ଜମି ଦେବାକୁ ପ୍ରସ୍ତୁତ ନ ଥିଲା। କିନ୍ତୁ ତାଲିବାନର ଅନୁରୋଧ ପରେ ଇଚ୍ଛା ନ ଥାଇ ବି ହଁ ଭରିଛନ୍ତି।

ବ୍ୟାପାର ପାଇଁ ଅନୁମତି ନାହିଁ

ଆଫଗାନିସ୍ତାନକୁ ସାହାଯ୍ୟ ପାଇଁ ପାକିସ୍ତାନ ନିଜର ଜମି ବ୍ୟବହାର କରିବାକୁ ଅନୁମତି ଦେଇ ଦେଇଛି। କିନ୍ତୁ ପାକ୍‌ ସ୍ପଷ୍ଟ କରି ଦେଇଛି ଯେ କୌଣସି ବି ପ୍ରକାର ବ୍ୟାପାର ପାଇଁ ସେ ନିଜର ଜମି ଦେବ ନାହିଁ। ଏ ନେଇ ପାକିସ୍ତାନର ବିଦେଶ ମନ୍ତ୍ରାଳୟର କହିବା ହେଲା, ଆଫଗାନିସ୍ତାନ ଲୋକଙ୍କର ବଡ଼ ଅସୁବିଧା କାରଣରୁ ଭାରତର ସହାୟତା ପାଇଁ ସେ ନିଜ ଜମି ଦେବାକୁ ପ୍ରସ୍ତୁତ ହୋଇଛି।

Leave A Reply

Your email address will not be published.