ଆଜି ଅପରାହ୍ଣ ୫ଟାରୁ ବନ୍ଦ ରହିଲା ଯୁଦ୍ଧ, ସୂଚନା ଦେଲେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି

ଭାରତ-ପାକିସ୍ତାନ ଯୁଦ୍ଧ ବିରତି। ଆଜି ଅପରାହ୍ଣ ୫ଟାରୁ ବନ୍ଦ ରହିଲା ଯୁଦ୍ଧ। ସୂଚନା ଦେଲେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆଜି ଅପରାହ୍ଣ ୩ଟା ୩୫ରେ ପାକିସ୍ତାନ ଡିଜିଏମଓ, ଭାରତର ଡିଜିଏମଓଙ୍କ ସହ କଥା ହୋଇଥିଲେ। ସାମରିକ ଆକ୍ସନ ବନ୍ଦ କରିବାକୁ କଥା ହୋଇଛନ୍ତି ଦୁଇ ପକ୍ଷ। ଜଳ ସ୍ଥଳ କିମ୍ବା ଆକାଶ ମାର୍ଗରୁ କେହି କାହା ଉପରେ ଆକ୍ରମଣ କରିବେ ନାହିଁ। ଭାରତୀୟ ସମୟ ଅପରାହ୍ଣ ୫ଟାରୁ ଏହା ଲାଗୁ ହେଲା। ୧୨ ତାରିଖରେ ପୁଣି ଥରେ ଡିଜିଏମଓ ସ୍ତରୀୟ ଆଲୋଚନା ହେବ। ଏହି ଆଲୋଚନା ମଧ୍ୟାହ୍ନ ୧୨ଟା ସମୟରେ ହେବ ବୋଲି ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅସ୍ତ୍ରବିରତି ନେଇ ପ୍ରଥମେ ସୂଚନା ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଥିଲେ, ସିଜ୍ ଫାୟାର ପାଇଁ ଭାରତ-ପାକିସ୍ତାନ ରାଜି। ଆମେରିକାର ମଧ୍ୟସ୍ଥତାରେ ସାରା ରାତି ଆଲୋଚନା ପରେ ଭାରତ ଓ ପାକିସ୍ତାନ ସଂପୂର୍ଣ ସିଜ ଫାୟାର ପାଇଁ ରାଜି ହୋଇଥିବା ଟ୍ରମ୍ପ କହିଥିଲେ। କିଛି ସମୟ ପରେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଏ ସଂପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ୪୮ ଘଣ୍ଟାର ମାରଥନ ଆଲୋଚନା ପରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଥିବା କହିଥିଲେ ମାର୍କୋ ରୁବିଓ। ସେ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଓ ପାକିସ୍ତାନ ଅଧିକାରୀଙ୍କ ସହ ମାରାଥନ ବୈଠକ କରିଥିଲେ।

tweet

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ, ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର , ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କଥାବାର୍ତ୍ତା ହୋଇଥିବା କହିଛନ୍ତି ରୁବିଓ। ତୁରନ୍ତ ସିଜ ଫାୟାର ପାଇଁ ଦୁଇ ଦେଶ ରାଜି ହେବା ସହ ଏକ ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ରାଜି ହୋଇଥିବା କହିଛନ୍ତି ରୁବିଓ। ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାଦ ଦାର ସିଜ୍ ଫାୟାର ସପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।