ହିଟ୍ ୱେଭ୍ ଚେତାବନୀ: ବୈଜ୍ଞାନିକ କହିଲେ ଭାରତ-ପାକିସ୍ତାନ ଆଡକୁ ଆସୁଛି ବଡ ବିପଦ

ଏବେ ତାତିରେ ଜଳୁଛି ସାରା ଦେଶ । ଆମ ରାଜ୍ୟ ଓଡ଼ିଶା ବି ଏଥିରୁ ବାଦ୍‌ ପଡ଼ିନି । ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି । କେଉଁଠି ୩୯ରୁ ୪୦ତ ଆଉ କେଉଁଠି ୪୩ରୁ ୪୪ ଡିଗ୍ରୀ ରହୁଛି । ଯାହା ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଖରା ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଘରେ ବାହାରେ କେଉଁଠିବି ତାତିରୁ ନିସ୍ତାର ନାହିଁ । ଗରିବ ଲୋକଙ୍କ କଥା ଛାଡ଼ନ୍ତୁ ଧନୀ ଲୋକ ବି ହନ୍ତସନ୍ତ ହେଉଛନ୍ତି । କେଉଁଠି ପାଓ୍ଵାର କଟ୍‌ ଯୋଗୁଁ ତ ଆଉ କେଉଁଠି ଏସି ଏ ତାତି ଆଗରେ ଫେଲ୍‌ କାରୁଛି ।

ଆଉ ଏହି ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଭିତରେ ଭାରତ ଓ ପାକିସ୍ତାନବାସୀଙ୍କ ପାଇଁ ଆସିଛି ଏକ ଚିନ୍ତା ଜନକ ଖବର। ଯେଉଁଥି ପାଇଁ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। କହିବାକୁ ଗଲେ ଭାରତ ସମେତ ଦକ୍ଷିଣ ଏସିଆରେ ଅତ୍ୟଧିକ ଗରମ ଆରମ୍ଭ ହୋଇ ସାରିଛି । ଭାରତ ଏବଂ ପାକିସ୍ତାନରେ ଏପ୍ରିଲ ମାସର ଆରମ୍ଭରେ ହିଁ ପାରଦ ୪୦ ରୁ ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଆଗାମୀ ଦିନରେ ମଧ୍ୟ ଏହି ପ୍ରଖର ଗରମରୁ ତ୍ରାହି ମିଳିବ ନାହିଁ ବୋଲି ବୈଜ୍ଞାନିକ କହିଛନ୍ତି। ସ୍କଟଲ୍ୟାଣ୍ଡ ପାଣିପାଗ ବିଶେଷଜ୍ଞ ସ୍କଟ୍ ଡାନ୍କାନ୍ ଏକ ଭୟାନକ ଚେତାବନୀ ଦେଇଛନ୍ତି। ସେ ଟ୍ୱିଟରରେ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ପ୍ରତି ବିପଜ୍ଜନକ ତଥା ପ୍ରବଳ ଉତ୍ତାପ ବୃଦ୍ଧି ପାଉଛି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଏପ୍ରିଲ୍ ମାସରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିବ। ହାରାହାରି ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଆହୁରି ଅଧିକ ହେବ । ଏମିତିକି ପାକିସ୍ତାନର କେତେକ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ସେ ପ୍ରକାଶ କହିଛନ୍ତି।

ସ୍କଟ୍ ଡାନ୍କାନ୍ କହିଛନ୍ତି ଯେ ଏହି ତାତି ବହୁ ପୂର୍ବରୁ ପଡ଼ିବାରେ ଲାଗିଥିଲା। ମାର୍ଚ୍ଚ ଆରମ୍ଭରୁ ହିଁ ଏପରି ହଉଛି। ତେବେ ଏତେ ମାତ୍ରାରେ ଗରମ ହେବାର କାରଣ କ’ଣ ରହିଛି ଆସନ୍ତୁ ଜାଣିବା। ମାର୍ଚ୍ଚ ୨୦୨୨ର ଏକ ଗ୍ରାଫିକ, ସ୍କଟ୍ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏଥିରେ ଆପଣ ଦେଖି ପାରିବେ ମାର୍ଚ୍ଚରେ ଦୁନିଆର ଏହି ଅଞ୍ଚଳରେ କେତେ ଉତ୍ତାପ ରହୁଛି ଓ ପ୍ରବଳ ଗରମ ହେଉଛି।

ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଊନବିଂଶ ଶତାବ୍ଦୀ ପରେ ଭାରତ ଏବଂ ପାକିସ୍ତାନର ତାପମାତ୍ରା ବଦଳି ଚାଲିଛି । ଏହା କହିଛନ୍ତି ସ୍କଟଲ୍ୟାଣ୍ଡର ପାଣିପାଗ ବିଜ୍ଞାନୀ । ତାଙ୍କ ଭାଷାରେ ଆମ ଗ୍ରହର ତାପମାତ୍ରା ଯେତେ ବୃଦ୍ଧି ପାଏ ତା ସହିତ ହିଟ୍‌େଓ୍ଵଭ୍‌ ମଧ୍ୟ ବୃଦ୍ଧି ପାଇଥାଏ । ବର୍ଷର ଅଧିକାଂଶ ସମୟରେ ତାପମାତ୍ରା ବେଶି ରହୁଛି । ଗତ ଜାନୁଆରୀ ମାସରେ ବିଶ୍ୱ ପାଣିପାଗ ବିଭାଗ କହିଛି ଯେ ୨୦୨୧ରେ ରେକର୍ଡ କରାଯାଇଥିବା ତାପମାତ୍ରା ପୃଥିବୀର ସାତଟି ଉଷ୍ମ ବର୍ଷ ମଧ୍ୟରୁ ଗୋଟିଏ। ବିଶ୍ୱର ହାରାହାରି ତାପମାତ୍ରା ପ୍ରତି ବର୍ଷ ଗୋଟିଏ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଉଛି। ୨୦୨୦ ମସିହା ମହାମାରୀ ସମୟରେ ସାରା ବିଶ୍ୱରେ ଅଙ୍ଗାରକାମ୍ଳ ହ୍ରାସ ଘଟିଛି, କିନ୍ତୁ ଏହା ପରେ ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ତେବେ ଗ୍ଲୋବାଲ ୱାର୍ମିଂକୁ ହ୍ରାସ କରିବା ପାଇଁ ଆମକୁ ବହୁତ କାମ କରିବାକୁ ପଡିବ। ଗ୍ରହର ତାପମାତ୍ରାକୁ ହ୍ରାସ କରିବା ପାଇଁ ଦ୍ରୁତ ଡିକାର୍ବୋନାଇଜେସନ୍ କରାଯିବା ନିହାତି ଜରୁରୀ। ଯାହା ଦ୍ଵାରା ଜଳବାୟୁ ପରିବର୍ତ୍ତନକୁ ଏଡ଼ା ଯାଇପାରିବ । କାରଣ ଏବେବି ସୁଧୁରିବା ପାଇଁ ସମୟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.