ଆଫଗାନିସ୍ତାନରେ ଭାରତୀୟ ଦୂତାବାସ ବନ୍ଦ, ନାଗରିକଙ୍କୁ ଫେରାଇ ଆଣିବାକୁ ପଠାଗଲା ବିମାନ

ନୂଆଦିଲ୍ଲୀ : ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନର ତାଲିବାନର ନରସଂହାର ଜାରି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗୁଡୁଛି । ଏଥିପାଇଁ ମଜାର-ଏ-ସରିଫରେ ବାଣିଜ୍ୟ ଦୂତାବାସକୁ ଭାରତ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ସେଠାରେ ଥିବା ସବୁ କୂଟନୈତିକ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରାଇ ଅଣାଯାଉଛି । ଏଥିପାଇଁ ନୂଆଦିଲ୍ଲୀରୁ ମଜାର-ଏ-ସରିଫକୁ ଏକ ସ୍ୱତନ୍ତ୍ର ବିମାନ ଯାଇଛି । ସଂଧ୍ୟାରେ ଏହି ବିମାନ ସେଠାରୁ ଫେରିବ । ସଂପୃକ୍ତ ଅଞ୍ଚଳରେ ରହୁଥିବା ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଭାରତ ଫେରି ଆସିବା ପାଇଁ ଅନୁରୋଧ କରାଯାଇଛି ।

ଆଫଗାନିସ୍ତାନରେ ତାଲିବାନର ବଢୁଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଭାରତ ଏହି ନିଷ୍ପତ୍ତି ନିଆଯାଇଛି । ତାଲିବାନ ଓ ଆଫଗାନ ସେନା ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି । ତାଲିବାନ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ ଦଖଲ କରୁଛି । ଏ ଯାଏଁ ୫ଟି ପ୍ରାଦେଶିକ ରାଜଧାନୀକୁ ଦଖଲ କରିଛି ତାଲିବାନ ।

ଆମେରିକା ସମର୍ଥିତ ଆଫଗାନ ବାୟୁ ସେନା ତାଲିବାନକୁ କଡ଼ା ଜବାବ ଦେବା ସହ ଆଡ୍ଡା ଉପରେ ବୋମାମାଡ଼ ଚଳାଇଛି । ବାୟୁସେନାର ଆକ୍ରମଣରେ ଶହେରୁ ଅଧିକ ତାଲିବାନଙ୍କ ମୃତ୍ୟୁ ଘଟିଥିବା ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.