ପାକିସ୍ତାନକୁ ଝଟକା, ସମସ୍ତ ପ୍ରକାର ଡାକ ଓ ପାର୍ସଲ ସେବା ଉପରେ ରୋକ ଲଗାଇଲେ ଭାରତ ସରକାର

ଭାରତ ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଏହି ନିଷ୍ପତ୍ତି ଉଭୟ ବିମାନ ଓ ସ୍ଥଳପଥ ପାଇଁ ଲାଗୁ ହୋଇଛି । ଆଜି ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ପୋଷ୍ଟ ଏବଂ ପାର୍ସଲକୁ ବାନ କରିଛନ୍ତି । ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ଡାକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭୟଭୀତ ରହିଛି ପାକିସ୍ତାନ ।
ପୂର୍ବରୁ ଭାରତ ପାକିସ୍ତାନରୁ ସମସ୍ତ ପ୍ରକାରର ଆମଦାନୀ ଉପରେ ନିଷେଧ କରିଥିଲା । ଦେଶର ସୁରକ୍ଷା ଏବଂ ଲୋକଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି । ଏହି ନିୟମ ପାକିସ୍ତାନରୁ ଆସୁଥିବା କିମ୍ବା ଯାଉଥିବା ସମସ୍ତ ସାମଗ୍ରୀ ପାଇଁ ଲାଗୁ ହେବ । ବାଣିଜ୍ୟ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି । ଏଥିରେ କୁହାଯାଇଛି ପାକିସ୍ତାନରୁ ଆସୁଥିବା କିମ୍ବା ପାକିସ୍ତାନକୁ ରପ୍ତାନି ହେଉଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀ କିମ୍ବା ପରିବହନ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯାଇଛି ।
ଏହି ନିଷେଧ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ । ଦେଶର ସୁରକ୍ଷା ଏବଂ ସାର୍ବଜନୀନ ନୀତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷେଧରୁ ମୁକ୍ତ ପାଇବା ପାଇଁ, ପ୍ରଥମେ ଭାରତ ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ସମସ୍ତ ସ୍ୱଳ୍ପକାଳୀନ ଭିସା ଥିବା ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଗୁରୁବାର ଦୁଇ ଦେଶ ମଧ୍ୟରେ ଥିବା ଅଟାରୀ-ୱାଘା ସୀମା ପରିବହନ ସ୍ଥାନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ସୀମା ପାର ହେବା ପାଇଁ ଲୋକଙ୍କ ଏକ ସପ୍ତାହ ଧରି ପ୍ରବଳ ଗତିବିଧି ପରେ ଏହାକୁ ବନ୍ଦ କରିଦିଆଯାଇଥିବା ସୂତ୍ରରୁ ଜଣାପଡିଛି ।
ବୁଧବାର ଦିନ ଅଟାରୀ-ୱାଘା ସୀମା ଦେଇ ମୋଟ ୧୨୫ ଜଣ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନ ଫେରିଛନ୍ତି । ଏହିପରି ଗତ ସାତ ଦିନ ମଧ୍ୟରେ ଦେଶ ଛାଡିଥିବା ପାକିସ୍ତାନୀଙ୍କ ସଂଖ୍ୟା ୯୧୧ ରେ ପହଞ୍ଚିଛି ।
Also read: ସେନାର ପ୍ରସ୍ତୁତି ସହ ମିସାଇଲ ଟେଷ୍ଟ କଲା ପାକିସ୍ତାନ, ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର