‘ଠିକ୍ ସମୟରେ ଦେଇଚାଲନ୍ତୁ ଅପଡେଟ୍…’, ଚୀନରେ ବ୍ୟାପିଥିବା HMPV ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଅନୁରୋଧ କଲା ଭାରତ

ଚୀନରେ ଆତଙ୍କ ସୃଷ୍ଟି କରିଛି ‘HMPV’ ଭାଇରସ୍ । ଏହାକୁ ନେଇ WHOକୁ ସମ୍ପୂର୍ଣ୍ଣ ତଥ୍ୟ ମାଗିଛି ଭାରତ । ଚୀନରେ ଭାଇରସ୍ ବ୍ୟାପିବା ପରେ ପୂରା ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଭାଇରସରେ କେତେ ଆକ୍ରାନ୍ତ ହୋଇଛନ୍ତି ଏବଂ ଭାଇରସର ଲକ୍ଷଣ କ’ଣ, ସେ ନେଇ ଠିକ୍ ସମୟରେ ଅପଡେଟ୍ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଭାରତ ଅନୁରୋଧ କରିଛି ।

ଏପଟେ ଚୀନରେ ଆତଙ୍କ ସୃଷ୍ଟି କରିଥିବା HMPV (ହ୍ୟୁମାନ ମେଟାନ୍ୟୁମୋଭାଇରସ୍)କୁ ନେଇ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହି ଭୂତାଣୁକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଫ୍ଲୁ ଏବଂ କୋଭିଡ୍ ଲକ୍ଷଣ ଥିବା ଏହି ଭାଇରସ୍ ଏବେ ଚୀନରେ ଦ୍ରୁତ ଗତିରେ ମାଡ଼ିଚାଲିଛି ।

ଡାକ୍ତରଖାନାଗୁଡ଼ିକରେ ସଂକ୍ରମିତଙ୍କ ଭିଡ଼ ଲାଗିଥିବା ବେଳେ ଛୋଟ ପିଲା ଓ ବୟସ୍କଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି । ସ୍ୱତନ୍ତ୍ର ଚିକିତ୍ସା କିମ୍ବା ଟିକା ନ ଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି । HMPV ସଂକ୍ରମଣରେ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବା କୁହାଯାଉଥିବା ବେଳେ ଚୀନ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।

HMPVର ଏରୋସୋଲ ସଂକ୍ରମଣ ଆଶଙ୍କା କମ୍ ଥିଲେ ବି କାଶ, ଛିଙ୍କ କିମ୍ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ମାତ୍ର କିଛିଦିନ ମଧ୍ୟରେ ସାରା ପରିବାର ଏଥିରେ ଆକ୍ରାନ୍ତ ହୋଇଯାଏ ।

ଚୀନର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ମୁତାବକ, HMPV ଭାଇରସ୍ ସାଧାରଣ ଥଣ୍ଡା ପରି ଲକ୍ଷଣ ସୃଷ୍ଟି କରେ । ଛୋଟ ପିଲା, ବୃଦ୍ଧ ଏବଂ ଦୁର୍ବଳ ଇମ୍ୟୁନ୍ ସିଷ୍ଟମ୍ ଥିବା ଲୋକ ଏହାର ସବୁଠାରୁ ବଡ଼ ଶିକାର ହୋଇପାରନ୍ତି । କାଶ, ଜ୍ୱର, ନାକ ବନ୍ଦ ଇତ୍ୟାଦି ଏହାର ଲକ୍ଷଣ । ଏହା ନିମୋନିଆ ଏବଂ ବ୍ରୋଙ୍କିଓଲାଇଟିସ୍ ଭଳି ଗୁରୁତର ଶ୍ଵାସରୋଗ ମଧ୍ୟ ସୃଷ୍ଟି କରିପାରେ ।

ଚୀନରେ ଏହି ରୋଗ କୋଭିଡ୍-୧୯ ଭଳି ବିସ୍ତାର ହେବାରେ ଲାଗିଛି । ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ HMPV ଅନ୍ୟ ଜଣଙ୍କୁ ବ୍ୟାପିପାରେ । ଜୀବାଣୁ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କଲେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । HMPV ବ୍ୟତୀତ ଇନଫ୍ଲୁଏଞ୍ଜା ଏ, ମାଇକୋପ୍ଲାଜମା ନିମୋନିଆ ଏବଂ କୋଭିଡ୍-୧୯ ମାମଲା ବି ସାମ୍ନାକୁ ଆସୁଛି । ଏହି ରୋଗୀଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି ।

ସୂଚନା ଯେ HMPV ଭାଇରସ୍ ପ୍ରଥମ ଥର ୨୦୦୧ରେ ଚିହ୍ନଟ ହୋଇଥିଲା । ଜଣେ ଡଚ୍ ବିଶେଷଜ୍ଞ ଶ୍ଵାସରୋଗରେ ପୀଡ଼ିତ ଶିଶୁର ନମୁନାରେ ଏହି ଭାଇରସକୁ ଚିହ୍ନଟ କରିଥିଲେ ।