ପହଲଗାମରେ ଆତଙ୍କୀ ହମଲା, ଭାରତ ଓ ପାକିସ୍ତାନ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ କିଏ ବେଶି ଶକ୍ତିଶାଳୀ ?

ପହଲଗାମରେ ଆତଙ୍କୀ ହମଲା ପରେ ବଢୁଛି ଉତ୍ତେଜନା । ଯେକୌଣସି ମୁହୂର୍ତ୍ତରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ । ତେବେ ଯଦି ଯୁଦ୍ଧ ହୁଏ କିଏ ସହିବ ଅଧିକ କ୍ଷତି । ଭାରତ ଓ ପାକିସ୍ତାନ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ କିଏ ବେଶି ଶକ୍ତିଶାଳୀ ।

ସୈନ୍ୟ କ୍ଷମତା ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ବରେ ଦ୍ବିତୀୟ ଥିବାବେଳେ ପାକିସ୍ତାନର ସ୍ଥାନ ସପ୍ତମ । ସାମରିକ କ୍ଷେତ୍ରରେ ଭାରତର ସ୍ଥାନ ଚତୁର୍ଥ, ପାକିସ୍ତାନର ସ୍ଥାନ ହେଉଛି ଦ୍ବାଦଶ । ସେହିଭଳି ଭାରତୀୟ ସେନା ପାଖରେ ୧୪ ଲକ୍ଷ ୬୦ ହଜାର ସକ୍ରିୟ ସୈନ୍ୟ ଥିବାବେଳେ ପାକିସ୍ତାନ ପାଖରେ ୬ ଲକ୍ଷ ୫ଅର୍ଥାତ୍ ଭାରତ ଠାରୁ ଅଧା ବି ନାହାନ୍ତି ।

ଭାରତ ପାଖରେ ୨୫ ଲକ୍ଷ ୩୦ ହଜାର ଅର୍ଦ୍ଧ ସାମରିକ ବାହିନୀ ଅଛନ୍ତି । ଯାହା ପାକିସ୍ତାନ ପାଖରେ ମାତ୍ର ୫ ଲକ୍ଷ । ଭାରତ ରିଜର୍ଭ ସୈନ୍ୟ ୧୧ ଲକ୍ଷ ୬ ହଜାର ସଂରକ୍ଷିତ ସୈନ୍ୟ ବଳ ଥିବାବେଳେ ପାକିସ୍ତାନ ପାଖରେ ଅଛନ୍ତି ମାତ୍ର ୫ ଲକ୍ଷ ୫୦ ହଜାର ।

ସେହିଭଳି ସାମରିକ ଅସ୍ତ୍ରଶସ୍ତ୍ର,ଜ୍ଞାନକୌଶଳ ଦୃଷ୍ଟିରୁ ମଧ୍ୟ ଭାରତୀୟ ନୌସେନା, ସ୍ଥଳ ସେନା ଓ ବାୟୁ ସେନା ପାକିସ୍ତାନ ତୁଳନାରେ ଅଧିକ ଦକ୍ଷ ଓ ଶକ୍ତିଶାଳୀ । ଭାରତ ପାଖରେ ୪୫୦୦ ଟ୍ୟାଙ୍କ, ୫୩୮ ଲଢୁଆ ବିମାନ, ଅର୍ଜୁନ, ଟି-୯୦ ଭୀମ ଭଳି ଆଧୁନିକ ଟ୍ୟାଙ୍କ, ପିନାକ ରକେଟ ସିଷ୍ଟମ, ବ୍ରହ୍ମୋସ ମିସାଇଲ୍, ହାୱିଜର ତୋପ ରହିଛି ।

ଭାରତୀୟ ବାୟୁସେନା ପାଖରେ ମୋଟ ୨୨୨୯ ଟି ବିମାନ ରହିଛି । ଯାହା ଭିତରେ ୬୦୦ ଲଢୁଆ, ୮୩୧ ସହାୟକ ବିମାନ ଓ ୮୯୯ ହେଲିକପ୍ଟର ରହିଛି । ଏହାଭିତରେ ବିଶ୍ବର ଦୁର୍ଦ୍ଦଶ ରାଫେଲ, ସୁଖୋଇ ବ୍ରହ୍ମୋସ କ୍ରୁଜ ମିଶାଇଲ ବି ରହିଛି ।

ସେହିଭଳି ପାକିସ୍ତାନ ପାଖରେ ୧୩୯୯ ବିମାନ ରହିଛି । ଏଥିରେ ୩୨୮ ଲଢୁଆ ବିମାନ, ୩୭୩ ହେଲିକପ୍ଟର, ୫୭ ଆଟାକ ହେଲିକପ୍ଟର, ୨୭ ସ୍ପେଶାଲ ମିସନ ଏୟାରକ୍ରାଫ୍ଟ ଓ ୪ଟି ଏରିଏଲ ଟାଙ୍କର୍ସ ରହିଛି । ପାକିସ୍ତାନ ସ୍ଥଳସେନା ଓ ନୌସେନା ପାଖରେ ୩ ହଜାର ୪୪୨ ଟ୍ୟାଙ୍କ,୭୫୨ ଆର୍ଟିଲେରି ୟୁନିଟ, ୧୧୪ ଯୁଦ୍ଧ ଜାହାଜ, ୮ ବୁଡାଜାହାଜ ରହିଛି ।

ଅନ୍ୟପକ୍ଷରେ ୨ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ । ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଭାରତ ପାଖରେ ୧୮୦ ପରମାଣୁ ଅସ୍ତ୍ର ଥିବାବେଳେ ପାକିସ୍ତାନ ପାଖରେ ୧୭୦ ପରମାଣୁ ଅସ୍ତ୍ର ଥିବା ଅନୁମାନ କରାଯାଉଛି ।

Also Read : ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର, ଟପ୍ ଲସ୍କର କମାଣ୍ଡର ଅଲତାଫ୍ ଲାଲି ନିହତ