ଇସ୍ରୋର କମାଲ: ଏବେ ମହାକାଶରୁ ଭାରତ ରଖିବ ଚୀନ ଏବଂ ପାକିସ୍ତାନର ମନ୍ଦ ଗତିବିଧି ଉପରେ କଡ଼ା ନଜର

ଚୀନ ଏବଂ ପାକିସ୍ତାନର ମନ୍ଦ ଗତିବିଧି ଉପରେ ଭାରତ ଏବେ ଆହୁରି ତୀକ୍ଷ୍‌ଣ ନଜର ରଖିପାରିବ। ‘ସିନ୍ଧୁ ନେତ୍ର’ ଉପଗ୍ରହର ସଫଳ ପ୍ରତିକ୍ଷେପଣ ସହ ଲଦାଖର ପାହାଡ଼ିଆ ଅଞ୍ଚଳରୁ ହିନ୍ଦୁ ମହାସାଗର ଅଞ୍ଚଳ(ଆଇଓଆର୍‌) ପର୍ଯ୍ୟନ୍ତ ସବୁ ଛୋଟବଡ଼ ଗତିବିଧି ଉପରେ କଡ଼ା ନଜର ରଖିବାର କ୍ଷମତା ଭାରତର ବଢ଼ିଯାଇଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ରବିବାର ‘ସିନ୍ଧୁ ନେତ୍ର’ ଏବଂ ବ୍ରାଜିଲ୍‌ର ଆମାଜୋନିଆ-୧ ସମେତ ୧୯ ଉପଗ୍ରହର ସଫଳ ପ୍ରତିକ୍ଷେପଣ କରିଛି।

ଏହା ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌(ଏନ୍‌ଏସ୍‌ଆଇଏଲ୍‌) ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପ୍ରଥମ ବ୍ୟବସାୟିକ ପ୍ରତିକ୍ଷେପଣ। ଇସ୍ରୋର ବ୍ୟବସାୟିକ ପ୍ରତିକ୍ଷେପଣ କାମକୁ ଦେଖିବା ପାଇଁ ୨୦୧୯ରେ ବିଜ୍ଞାନ ବିଭାଗ ଅଧୀନରେ ଏନ୍‌ଏସ୍‌ଆଇଏଲ୍‌ ଗଠନ କରାଯାଇଥିଲା। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ)ର ଯୁବ ବୈଜ୍ଞାନିକମାନେ ସିନ୍ଧୁ ନେତ୍ର ଉପଗ୍ରହକୁ ବିକଶିତ କରିଛନ୍ତି। ଏହି ଉପଗ୍ରହ ହିନ୍ଦୁ ମହାସାଗର ଅଞ୍ଚଳରେ ସଞ୍ଚାଳିତ ଯୁଦ୍ଧପୋତ ଏବଂ ବ୍ୟବସାୟିକ ପୋତକୁ ନିଜେ ହିଁ ଚିହ୍ନଟ କରିବ। ଏତିକି ନୁହେଁ, ଏହା ଜରିଆରେ ଦକ୍ଷିଣ ଚୀନ ସାଗର, ଗଲ୍ଫ ଅଫ୍‌ ଅଦନ ଏବଂ ଆଫ୍ରିକୀୟ ତଟଗୁଡ଼ିକରେ ବି କଡ଼ା ନଜର ରଖାଯାଇ ପାରିବ।

ତେବେ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ ରାଷ୍ଟ୍ରପତି ଏମ୍‌.ଭେଙ୍କେୟା ନାଇଡୁ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆମାଜୋନିଆ-୧ର ପ୍ରତିକ୍ଷେପଣକୁ ‘ଐତିହାସିକ କ୍ଷଣ’ ବୋଲି କହିଛନ୍ତି। ଶ୍ରୀହରିକୋଟାରେ ଥିବା ବ୍ରାଜିଲର ବିଜ୍ଞାନ ଏବଂ ଟେକ୍ନୋଲଜି ମନ୍ତ୍ରୀ ମାର୍କୋସ୍‌ ପୋଣ୍ଟିସ୍‌ କହିଛନ୍ତି, ଭାରତ ଏବଂ ବ୍ରାଜିଲ ଭାଗୀଦାରିତା ଆଡ଼କୁ ଏହା ପ୍ରଥମ ପଦକ୍ଷେପ, ଯାହା ଆଗକୁ ଆହୁରି ମଜଭୁତ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.