ତେଜିଲା ଭାରତ-କାନାଡା ବିବାଦ, ହାଇକମିଶନରଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଲା ଭାରତ

ତେଜିଲା ଭାରତ-କାନାଡା ବିବାଦ । କାନାଡା ମାମଲାରେ କଠୋର ହେଲା ଭାରତ । ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାର ଯାଞ୍ଚ ନେଇ କାନାଡା ସରକାରଙ୍କ ବିବୃତ୍ତି ପରେ ଓଟ୍ଟାୱା ସ୍ଥିତ ହାଇକମିଶନର ସଂଜୟ କୁମାର ବର୍ମାଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ଭାରତ ।
ଭାରତ ସରକାର ହାଇକମିଶନର, ଅନ୍ୟ ବରିଷ୍ଠ ଅଧିକାରୀ ତଥା କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି । ଉଗ୍ରବାଦ ଏବଂ ହିଂସା ପରିବେଶରେ ଟ୍ରୁଡୋ ସରକାରଙ୍କ କାର୍ଯ୍ୟକଳାପ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ମନ୍ତ୍ରଣାଳୟ କହିଛି ।
ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ବର୍ତ୍ତମାନର କାନାଡା ସରକାରଙ୍କ ପ୍ରତିବଦ୍ଧତା ଉପରେ ଆମର କୌଣସି ବିଶ୍ୱାସ ନାହିଁ । ତେଣୁ ଭାରତ ସରକାର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ସ୍ଥିର କରିଛି । ସେପଟେ କାନାଡାର ହାଇକମିଶନର ଷ୍ଟୁଆର୍ଟ ହ୍ୱିଲର୍ ବୈଦେଶିକ ମନ୍ତ୍ରଣାଳୟରୁ ବିଦାୟ ନେଇଛନ୍ତି । କାନାଡା ମାଟିରେ କାନାଡା ନାଗରିକଙ୍କ ହତ୍ୟା ଏବଂ ଏଥିରେ ଭାରତୀୟ ଏଜେଣ୍ଟଙ୍କ ଲିଙ୍କ୍ ସମ୍ପର୍କରେ କାନାଡା ବିଶ୍ୱସ୍ତ ପ୍ରମାଣ ଯୋଗାଇ ଦେଇଥିବା ସେ କହିଛନ୍ତି ।
ବର୍ତ୍ତମାନ ସମୟ ଆସିଛି ଯେ ଭାରତ ଯାହା କହୁଛି ତାହା ପାଳନ କରିବା ଏବଂ ସମସ୍ତ ଅଭିଯୋଗ ଉପରେ ଦୃଷ୍ଟି ରଖିବା । ଘଟଣାର ତୃଣମୂଳ ସ୍ତରରେ ପହଞ୍ଚିବା ଉଭୟ ଦେଶର ଲୋକଙ୍କ ସ୍ୱାର୍ଥରେ । ଭାରତ ସହ ସହଯୋଗ କରିବାକୁ କାନାଡା ପ୍ରସ୍ତୁତ ବୋଲି କାନାଡାର ହାଇ କମିଶନର ଷ୍ଟିୱାର୍ଟ ହ୍ୱିଲର କହିଛନ୍ତି ।