ସୀମା ଅତିକ୍ରମ କରି ପାକିସ୍ତାନରେ ପଡ଼ିଲା ଭାରତୀୟ ଡ୍ରୋନ୍, ନିଜ କବ୍ଜାକୁ ନେଲା ପାକ୍ ସେନା

ସୀମା ଅତିକ୍ରମ କରି ପାକିସ୍ତାନରେ ପଡ଼ିଲା ଏକ ଭାରତୀୟ ଡ୍ରୋନ୍ । ପାକିସ୍ତାନୀ ସେନା ଏହି ଡ୍ରୋନକୁ କବ୍ଜା କରିନେଇଛି । ଡ୍ରୋନ୍ଟି ନିରୀକ୍ଷଣ ଡ୍ୟୁଟିରେ ଥିଲା, ଯାହା ଅଜାଣତରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି) ଅତିକ୍ରମ କରିଥିଲା । ଘଟଣା ଆଜି ସକାଳ ସାଢ଼େ ୯ଟାର ।
ସୂତ୍ରରୁ ଜଣାପଡ଼ିଛି, ଭାରତୀୟ ସ୍ଥଳସେନାର ଟାକ୍ଟିକାଲ୍ ୟୁଏଭି ଅର୍ଥାତ୍ ସୁଇଚ୍ ଡ୍ରୋନ୍ ଏଲ୍ଓସି ଅତିକ୍ରମ କରି ପାକିସ୍ତାନରେ ପଡ଼ିଥିଲା । ଡ୍ରୋନ୍ ଅଜାଣତରେ ସୀମା ପାର୍ କରିଥିଲା । ଏହି ଘଟଣା ରାଜୌରୀ ସେକ୍ଟରରେ ଘଟିଛି । ପାକିସ୍ତାନୀ ସେନା ଡ୍ରୋନଟିକୁ ନିଜ କବ୍ଜାକୁ ନେଇଯାଇଛି ।
ଡ୍ରୋନ୍ ରୁଟିନ୍ ସର୍ଭିଲାନ୍ସ ଉଡ଼ାଣରେ ଥିଲା । ଏହା ଭିମ୍ବର ଗଲି ସେକ୍ଟରର ଅପରପାର୍ଶ୍ୱ ପାକିସ୍ତାନ ସୀମାର ନିକିୟାଲ ସେକ୍ଟରରେ ପଡ଼ିଥିଲା । ଏଥିରେ କିଛି ବୈଷୟିକ ତ୍ରୁଟି ରହିଥିଲା ।
ଡ୍ରୋନରେ କୌଣସି ପ୍ରକାର ଅସ୍ତ୍ର ଲାଗି ନ ଥିଲା । ଏହା କେବଳ ଏକ ସର୍ଭିଲାନ୍ସ ଡ୍ରୋନ୍, ଯାହାର ଓଜନ ପ୍ରାୟ ୭ କିଲୋଗ୍ରାମ । ଏହା ଥରକେ ୧ ଘଣ୍ଟା ଉଡ଼ାଣ ଭରିବାର କ୍ଷମତା ରଖିଛି । ଦିନ ଏବଂ ରାତିରେ ନିରୀକ୍ଷଣ ପାଇଁ ଏଥିରେ ଏଚ୍ଡି କ୍ୟାମେରା ଲାଗିଛି ।