ଓ୍ଵାୟନାଡରେ ଚମତ୍କାର ! ଭୂସ୍ଖଳନର ଚାରି ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୪

କେରଳର ୱାୟନାଡରେ ଚମତ୍କାର । ଭୂସ୍ଖଳନର ଚାରି ଦିନ ପରେ ଭାରତୀୟ ସେନା ୪ ଜଣଙ୍କୁ ମାଟି ତଳୁ ଜୀବନ୍ତ ଉଦ୍ଧାର କରିଛି । ଏଥିରେ ଅଛନ୍ତି ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ । ଏମାନେ ସମସ୍ତେ ପଦାଭେଟ୍ଟି କୁନ୍ନୁରେ ଫସି ରହିଥିଲେ । ତେବେ ଉଦ୍ଧାର ପରେ ଜଣେ ମହିଳା ଚାଲିପାରୁ ନାହାନ୍ତି । ତାଙ୍କର ଚିକିତ୍ସା ଚାଲିଛି ।
ଶୁକ୍ରବାର ଭୂସ୍ଖଳନର ଚତୁର୍ଥ ଦିନରେ ୪୦ଟି ଉଦ୍ଧାରକାରୀ ଟିମ୍ ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସର୍ଚ୍ଚ ଓ ରେସ୍କ୍ୟୁ କାର୍ଯ୍ୟ ଚଳାଇ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ ।
ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା ଯେ ଏହି ଅପରେସନ୍ ସତର୍କତାର ସହିତ କରାଯାଇଥିଲା । ଉଦ୍ଧାର କାର୍ଯ୍ୟକୁ ସୁବିଧାଜନକ କରିବା ପାଇଁ ଲାଇଟ୍ ହେଲିକପ୍ଟର (ALH) ବ୍ୟବହୃତ ହୋଇଥିଲା । ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ହେତୁ ମାଟି ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇ ପାରିଥିଲା ।
ଉଦ୍ଧାରକାରୀ ଦଳର ୪୦ଟି ଟିମ୍ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ୬ଟି ଜୋନ୍ ଅଟାମାଲା, ଆରଣମାଲା, ମୁଣ୍ଡକ୍କଇ, ପୁଞ୍ଚିରିମଟ୍ଟମ୍, ଭେଲାରିମାଲା ଗ୍ରାମ ଏବଂ ଜିଭିଏଚ୍ଏସ୍ଏସ୍ ଭେଲାରିମାଲାରେ ନିଖୋଜମାନଙ୍କୁ ଖୋଜିବେ । ଏହାସହ ଚଲିୟାର୍ ନଦୀରେ ମଧ୍ୟ ଖୋଜାଖୋଜି କରାଯିବ । ଚଲିୟାର୍ର ୪୦ କିଲୋମିଟର ଦୂରରେ ଥିବା ୮ଟି ଥାନାର ପୋଲିସ୍ କର୍ମୀ ସ୍ଥାନୀୟ ସନ୍ତରଣକାରୀଙ୍କ ସହ ମିଶି ଖୋଜାଖୋଜି କରିବେ ।