ଜମ୍ମୁ କଶ୍ମୀର : ସେନା ଏନକାଉଣ୍ଟର ୨ ଆତଙ୍କୀ ନିହତ, ଅସ୍ତ୍ରଶସ୍ତ୍ର ସହିତ ବିପୁଳ ଗୋଳାବାରୁଦ ଜବତ

ଜମ୍ମୁ କଶ୍ମୀରର କୁପଓ୍ୱାଡାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର । ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ । ଗତକାଲି ଠାରୁ ଗୁଳିବିନିମୟ ଜାରି ରହିଛି । ଆଜି ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତକାଲି ଗୁଗଲଧର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀ ସୂଚନା ପାଇଥିଲା । ଏହା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ମଧ୍ୟ ଜବତ ହୋଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି ।


ଭାରତୀୟ ସେନା ଏକ ବୟାନରେ କହିଛି, ସୁରକ୍ଷା ବଳ ଜମ୍ମୁ କଶ୍ମୀର କୁପଓ୍ୱାଡା ଜିଲ୍ଲାରେ ଏଲଓସି ନିକଟର ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କୀଙ୍କ ଉଦ୍ୟମ ପଣ୍ଡ କରିଥିଲା । ଫଳରେ ଅନୁପ୍ରବେଶ କରୁଥିବା ଆତଙ୍କୀକୁ ଚ୍ୟାଲେଞ୍ଜ କରି ଗୁଳି ବିନିମୟ କରିଥିଲା । ଜବତ ହୋଇଥିବା ହତିଆର ଏବଂ ଅନ୍ୟାନ୍ୟ ସାମଗ୍ରୀରୁ ଆତଙ୍କବାଦୀମାନେ ଏକ ବଡ଼ ଷଡଯନ୍ତ୍ର କରିବାକୁ ଯୋଜନା କରୁଥିବା ସେନା କହିଛି । ଏହି ଅଞ୍ଚଳରେ ଏବେ ମଧ୍ୟ ସୁରକ୍ଷା ବାହିନୀର ଉପସ୍ଥିତି ରହିଛି । ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ସୁରକ୍ଷାବଳଙ୍କ ଗୁଳିର ଜଣେ ଆତଙ୍କୀ ନିହତ ହୋଇଥିଲା । ନିହତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସହିତ ଜଡିତ ବୋଲି ସନ୍ଦେହ କରାଯାଇଥିଲା ।