ଲଦାଖ: ଭାରତୀୟ ସେନାର ଅଭ୍ୟାସ ବେଳେ ଅଘଟଣ, ନଦୀ ପାର ବେଳେ ଟ୍ୟାଙ୍କ ସହିତ ଭାସିଗଲେ ଯବାନ

ଲଦାଖରେ ଭାସିଗଲା ଭାରତୀୟ ସେନା ଟ୍ୟାଙ୍କ । ଏଥିରେ ଯବାନ ରହିଥିବା ବୋଲି ସୂଚନା ମିଳିଛି । ନଦୀ ପାର ବେଳେ ଦୌଲତ ବେଗ୍‌ ଓଲ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି । ୫ ଜଣ ଯବାନ ଭାସିଯାଇଥିବା ସୂଚନା ।

ଅଭ୍ୟାସ ସମୟରେ ନଦୀରେ ଅଧିକ ପାଣି ଆସିବାରୁ ଭାସିଗଲା ଟ୍ୟାଙ୍କ । ଏହି ଘଟଣା ଚୀନ ସୀମା ଅର୍ଥାତ୍‌ ଏଲଏସି ନିକଟରେ ହୋଇଛି । ଦୌଲତ ବେଗ ଓଲ୍ଡି କାରକୋରମ ରେଞ୍ଜ ସ୍ଥିତ । ଏଠାରେ ସେନାର ବେସ୍‌ କ୍ୟାମ୍ପ ରହିଛି ।

ସେନା ଅଧିକାରୀଙ୍କ କହିବାକୁଯାୟୀ, ଲଦାଖରେ ଏଲଏସି ନିକଟରେ ଅନାଚକ ଆସିଥିବା ବନ୍ୟାରେ ସେନା ଟ୍ୟାଙ୍କ ସହିତ ୫ ଜଣ ଯବାନ ଭାସିଯାଇଛନ୍ତି । ଅଭ୍ୟାସ କରିବା ସମୟରେ ସେନାର ଏକ ଟ୍ୟାଙ୍କ ନଦୀର ଗଭୀର ଭାଗରେ ପାର ହେଉଥିବା ବେଳେ ନଦୀରେ ଅଧିକ ପାଣି ଆସିଯାଇଥିଲା । ଫଳରେ ଟ୍ୟାଙ୍କଟି ଭାସିଯାଇଥିଲା ।

ତେବେ ଏଥିରେ ୫ ଜଣ ଯବାନ ରହିଛନ୍ତି । ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କୁୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ଟ୍ୟାଙ୍କ ଭାରତୀୟ ସେନାର ଟି-୭୨ ଟ୍ୟାଙ୍କ । ଭାରତ ପାଖରେ ୨୪୦୦ ଟି-୭୨ ଟ୍ୟାଙ୍କ ରହିଛି । ଭାରତୀୟ ସେନାରେ ଏହି ଟ୍ୟାଙ୍କର ବ୍ୟବହାର ଦୀର୍ଘଦିନରୁ ହେଉଛି ।ଦୁର୍ଘଟଣା ସମୟରେ ଆହୁରି ଅନେକ ଟ୍ୟାଙ୍କ ଘଟଣା ସ୍ଥଳରେ ରହିଥିଲା ।