ଆମେରିକା ସୁଗାରଲାଣ୍ଡରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା ସନ୍ଦେହ

ହ୍ୟୁଷ୍ଟନ୍ : ଆମେରିକାର ହ୍ୟୁଷ୍ଟନ୍ ଅନ୍ତର୍ଗତ ସୁଗାରଲାଣ୍ଡ ଅଞ୍ଚଳରେ ଭାରତୀୟ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ସନ୍ଦେହଜନକ ପରିସ୍ଥିତିରେ ସେମାନଙ୍କ ମୃତଦେହ ସୋମବାର ସକାଳେ ପୋଲିସ୍ ଉଦ୍ଧାର କରିଛି । ଘର ବାହାରେ ସ୍ତ୍ରୀଙ୍କର ଏବଂ ବେଡ୍ରୁମ୍ ଭିତରେ ସ୍ୱାମୀଙ୍କର ମୃତଦେହ ଠାବ ହୋଇଛି । ସେମାନଙ୍କ ଦେହରେ ଗୁଳିର କ୍ଷତ ଚିହ୍ନ ରହିଛି । ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ସେ ନେଇ ପୋଲିସ୍ ତଦନ୍ତ କରୁଛି । ତେବେ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟା ପରେ ଆତ୍ମହତ୍ୟା ବୋଲି ପୋଲିସ୍ କହିଛି ।
ସୋମବାର ସକାଳେ ଜଣେ କେହି ସୁଗାରଲାଣ୍ଡ ପୋଲିସ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ ନିଜ ପରିଚୟ ଦେଇ ନଥିଲା । ପୋଲିସ୍ ଠିକଣା ଜାଗାରେ ଆସି ପହଞ୍ଚି ଏହି ଦକ୍ଷିଣ ଭାରତୀୟ ଦମ୍ପତି ଶ୍ରୀନିବାସ ନାକିରେକାନ୍ତ ଏବଂ ପତ୍ନୀ ଶାନ୍ତି ନାକିରେକାନ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲା । ତେବେ ସେମାନଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ଶ୍ରୀନିବାସ ଏଠାରେ ଏକ ଏନର୍ଜି କମ୍ପାନୀରେ ନିର୍ଦ୍ଦେଶକ ଥିଲେ ଏବଂ ଶାନ୍ତି ଅନ୍ୟ ଏକ କମ୍ପାନୀରେ ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ ଚାକିରି କରୁଥିଲେ । ତାଙ୍କର ଏକ ୨୧ ବର୍ଷ ବୟସ୍କ ପୁଅ ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପଢୁଛି ବୋଲି ପଡ଼ୋଶୀ ସୂଚନା ଦେଇଛନ୍ତି । ସେମାନଙ୍କର ଏକ ସୁଖୀ ପରିବାର ଥିଲା ଏବଂ ଏହି ଦମ୍ପତି ବିଭିନ୍ନ ସମାଜସେବା କାର୍ଯ୍ୟରେ ମଧ୍ୟ ସଂପୃକ୍ତ ଥିଲେ ।
ତେବେ ପୋଲିସ୍ କହିବା କଥା ଶ୍ରୀନିବାସ ପ୍ରଥମେ ଶାନ୍ତିଙ୍କୁ ଗୁଳି ମାରି ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଯାହାକୁ ପଡ଼ୋଶୀମାନେ ବିଶ୍ୱାସ କରିବାକୁ ରାଜି ନୁହନ୍ତି ।