ବାଂଲାଦେଶ: ହିଂସାତ୍ମକ ବିରୋଧ ଭିତରେ ସତର୍କ ହେଲା ଭାରତୀୟ ଦୂତାବାସ, ଜାରି କଲା ଆଡ୍ଭାଇଜରୀ ଓ ହେଲ୍ପଲାଇନ ନମ୍ବର

ବାଂଲାଦେଶରେ ଆରକ୍ଷଣକୁ ନେଇ ହିଂସାତ୍ମକ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏଥିଯୋଗୁ ପରିସ୍ଥିତି ବର୍ତ୍ତମାନ ଅଣାୟତ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ ଭାରତୀୟ ଦୂତାବାସ ମଧ୍ୟ ସତର୍କ ହୋଇଛି । ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକ, ବିଶେଷ କରି ଛାତ୍ରମାନଙ୍କ ପାଇଁ ଭାରତ ସ୍ୱତନ୍ତ୍ର ଆଡ୍ଭାଇଜରୀ ଏବଂ ହେଲ୍ପଲାଇନ ନମ୍ବର ଜାରି କରିଛି ।
ବାଂଲାଦେଶରେ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ରମାନେ କୌଣସି ଯାତ୍ରା ନ କରିବାକୁ ଏବଂ ଘରେ ହିଁ ରହିବାକୁ ଆଡ୍ଭାଇଜରୀ ଜାରି କରାଯାଇଛି । କୌଣସି ବି ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ଦୂତାବାସ କହିଛି । ଭାରତର ହାଇ କମିଶନ ନିଜ ନାଗରିକମାନଙ୍କୁ ୨୪ ଘଣ୍ଟା ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛନ୍ତି ।
ଯଦି ଭାରତୀୟ ନାଗରିକ ଏବଂ ଛାତ୍ରମାନେ ଢାକାରେ କୌଣସି ବି ଜରୁରୀକାଳୀନ ପରିସ୍ଥିତିରେ ଫସି ରୁହନ୍ତି, ତେବେ ସେମାନେ 880-1937400591 ରେ କଲ୍ କିମ୍ବା ହ୍ଵାଟସ୍ଆପ ନମ୍ବର ମାଧ୍ୟମରେ ଯୋଗାଯୋଗ କରିପାରିବେ । ଚିତ୍ତାଗାଙ୍ଗ୍ରେ ଆସିଷ୍ଟାଣ୍ଟ ହାଇ କମିଶନ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ ସହ 880-1814654797, 880-1814654799 କିମ୍ବା ହ୍ଵାଟସ୍ଆପ ନମ୍ବର ମାଧ୍ୟମରେ ଯୋଗାଯୋଗ କରିପାରିବେ ।
ଏହିପରି ରାଜଶାହୀରେ 880-1788148696, ସିଲହେଟରେ 880-1313076411 ଏବଂ ଖୁଲନାରେ 880-1812817799 କୁ କଲ କରି କିମ୍ବା ହ୍ଵାଟସ୍ଆପ ନମ୍ବର ମାଧ୍ୟମରେ ସାହାଯ୍ୟ ମାଗିପାରିବେ । ଏହି ସେବା ୨୪ ଘଣ୍ଟା ପାଇଁ ଉପଲବ୍ଧ ରହିଛି ।
କହି ରଖୁଛୁ ଯେ ସରକାରୀ ଚାକିରିରେ ଆରକ୍ଷଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରି ବାଂଲାଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦୁଇ ଦିନ ତଳେ ହିଂସାତ୍ମକ ବିରୋଧ ପ୍ରଦର୍ଶନରେ ୩ ବିଦ୍ୟାର୍ଥୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ, ଯାହାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ବୁଧବାର ସମସ୍ତ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ ।