ୟୁକ୍ରେନ୍ରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି,ଯେଉଁଠି ବି ଅଛନ୍ତି ସୁରକ୍ଷିତ ରହିବାକୁ ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ୍ରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲେ ୟୁକ୍ରେନ୍ରେ ଥିବା ଭାରତୀୟ ଦୂତାବାସ । ବର୍ତ୍ତମାନ ୟୁକ୍ରେନ୍ର ପରିସ୍ଥିତି ଜଟିଳ ରହିଛି । ଭାରତୀୟ ନାଗରିକ ଯେଉଁଠି ବି ଅଛନ୍ତି, ସୁରକ୍ଷିତ ରୁହନ୍ତୁ । ଘର, ହଷ୍ଟେଲ ବା ଟ୍ରାନଜିଟ୍ରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ରହିବା ପାଇଁ କୁହାଯାଇଛି ।
ଯେଉଁମାନେ କିଭ୍କୁ ଆସୁଛନ୍ତି ସେମାନେ ତୁରନ୍ତ ନିଜ ନିଜ ସହରକୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି । ୟୁକ୍ରେନ୍ର ପଶ୍ଚିମ ସୀମାନ୍ତରେ ସୁରକ୍ଷିତ ସ୍ଥାନରେ ରହିବାକୁ ଆଡଭାଇଜରୀରେ କୁହାଯାଇଛି ।
ବର୍ତ୍ତମାନ ସମୟରେ ୟୁକ୍ରେନ ଉପରକୁ ୩ ପଟରୁ ଆକ୍ରମଣ କରୁଛି ଋଷ। ଆକ୍ରମଣରେ ୭ ମୃତ, ୯ଆହତ ହୋଇଥିବା କହିଛି ୟୁକ୍ରେନ। ଲୁହାନସ୍କ ଅଞ୍ଚଳର ୨ଟି ସହର ଅକ୍ତିଆର କରିଥିବା ଦାବି କରିଛି ଋଷିଆ ସମର୍ଥିତ ବିଚ୍ଛନତାବାଦୀ। ୟୁକ୍ରେନ ଏୟାରପୋର୍ଟ ଉପରକୁ ମିସାଇଲ ମାଡ଼ କରିଛି ଋଷିଆ। ଏୟାରପୋର୍ଟରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏବେ ସହର ଆଡକୁ ଟ୍ୟାଙ୍କ ସହ ବଢୁଛି ଋଷ ସେନା। ରାସ୍ତାରେ ପଡିଛି ମିସାଇଲ ଖଣ୍ଡବିଖଣ୍ଡିତ ଅଂଶ। କିଛି ପୋଲିସ ଅଫିସର ଏହାର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।
କିଭ ଓ ଖାରକିଭ ସ୍ଥିତ ମିଲିଟାରୀ ବେସ୍ ଉପରେ ମିସାଇଲ ଆଟାକ୍ କରିଛି ଋଷିଆ। ୟୁକ୍ରେନର ବହୁ ସହରରେ ବିସ୍ଫୋରଣ ଶୁଣିବାକୁ ମିଳିଛି। ୟୁକ୍ରେନ ଉପରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଲଗାତର ଆକ୍ରମଣ କରୁଛି ଋଷିଆ। ୟୁକ୍ରେନ୍ ନ ମାନିଲେ ଯୁଦ୍ଧ ହିଁ ହେବ । ଘଟଣାରେ କେହି ହସ୍ତକ୍ଷେପ କଲେ ପରିଣାମ ଭୋଗିବ ବୋଲି ପୁଟିନ ଚେତବାନୀ ଦେଇଛନ୍ତି ।