ଟେକ୍ସାସ୍ ମଲ୍ ଗୁଳିକାଣ୍ଡରେ ଭାରତୀୟ ଯୁବତୀଙ୍କ ମୃତ୍ୟୁ, ବାପା ତେଲେଙ୍ଗାନାରେ ଜିଲ୍ଲା ଜଜ୍
ଆମେରିକାରେ ଗୁଳିକାଣ୍ଡ ଘଟଣା ଲଗାତାର ଘଟୁଛି। ଗୋଟିଏ ଦିନ ପୂର୍ବରୁ ଟେକ୍ସାସ୍ ପ୍ରଦେଶର ଏକ ମଲ୍ରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା।
![texas](https://knewsodisha.com/wp-content/uploads/2023/05/texas.jpg)
ଆମେରିକାରେ ଗୁଳିକାଣ୍ଡ ଘଟଣା ଲଗାତାର ଘଟୁଛି। ଗୋଟିଏ ଦିନ ପୂର୍ବରୁ ଟେକ୍ସାସ୍ ପ୍ରଦେଶର ଏକ ମଲ୍ରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜଣେ ଭାରତୀୟ ଯୁବତୀଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ସୂଚନାଥାଉ କି, ଆମେରିକାର ଟେକ୍ସାସର ଡଲାସ୍ ସହରରେ ଥିବା ଏକ ମଲ୍ ଭିତରକୁ ପ୍ରବେଶ କରି ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିଥିଲେ। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଥିଲେ।
ସେପଟେ ଗୁଳିକାଣ୍ଡ ପରେ ପୋଲିସ ପକ୍ଷରୁ ମଧ୍ୟ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ନିହତ ହୋଇଛନ୍ତି। ପୋଲିସ ଆକ୍ରମଣକାରୀଙ୍କ ପରିଚୟ ଜାରି କରିଛି। ମୋରିସିଓ ଗାର୍ସିଆ ନାମକ ୩୩ ବର୍ଷୀୟ ଯୁବକ ଏହି ଘଟଣା ଘଟାଇଥିଲେ।
ମଲ୍ରେ ହୋଇଥିବା ଏହି ଗୁଳି ବିନିମୟରେ ହାଇଦ୍ରାବାଦର ୨୭ ବର୍ଷୀୟା ତେଲୁଗୁ ଯୁବତୀ ଐଶ୍ୱର୍ଯ୍ୟା ଟାଟିକୋଣ୍ଡାଙ୍କର ମୃତ୍ୟୁ ଘଟିଛି। ସେ ତେଲେଙ୍ଗାନାର ରେଙ୍ଗା ରେଡ୍ଡି ଜିଲ୍ଲାର ଜଜ୍ ତାତିକୋଣ୍ଡା ନରସି ରେଡ୍ଡୀଙ୍କ ଝିଅ। ଖବର ରହିଛି ଯେ ଐଶ୍ୱର୍ଯ୍ୟା ଆମେରିକାର ଏକ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ।
ଗୁଳି ବିନିମୟରେ ଐଶ୍ୱର୍ଯ୍ୟାଙ୍କ ମୃତ୍ୟୁ ପରେ ତାଙ୍କ ଘରେ ଶୋକର ବାତାବରଣ ଖେଳିଯାଇଛି। ତାଙ୍କ ମୃତଦେହକୁ ସ୍ୱଦେଶ ଆଣିବା ପାଇଁ ପ୍ରୟାସ କରାଯାଉଛି।