କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ବାଂଲାଦେଶରେ ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ

ହିଂସା ପ୍ରଭାବିତ ବାଂଲାଦେଶରେ ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ପରବର୍ତ୍ତୀ ନୋଟିସ୍‌ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି କେନ୍ଦ୍ର ସରକାର । ଚଳିତ ସପ୍ତାହ ଆରମ୍ଭରେ ବ୍ୟାପକ ବିରୋଧ ହେତୁ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତରେ ଶରଣ ନେବାକୁ ପଡ଼ିଥିଲା । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଭାରତୀୟ ଭିସା କେନ୍ଦ୍ର ନିଜ ୱେବସାଇଟରେ ଆବେଦନକାରୀଙ୍କୁ ସୂଚନା ଦେଇଛି ଯେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପରବର୍ତ୍ତୀ ତାରିଖ ବିଷୟରେ ଜଣାଇ ଦିଆଯିବ ଏବଂ ଆଗାମୀ କାର୍ଯ୍ୟ ଦିବସରେ ପାସପୋର୍ଟ ସଂଗ୍ରହ କରାଯିବ ।

ନୋଟିସ୍‌ରେ କୁହାଯାଇଛି, ଅସ୍ଥିର ସ୍ଥିତି କାରଣରୁ ସମସ୍ତ ଭାରତୀୟ ଭିସା କେନ୍ଦ୍ର ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବନ୍ଦ ରହିବ । ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ତାରିଖ ସୂଚିତ କରାଯିବ ।

ଶେଖ ହାସିନାଙ୍କ ନେତୃତ୍ୱାଧୀନ ସରକାରଙ୍କ ପତ୍ତନ ପରେ ଢାକାସ୍ଥିତ ଭାରତୀୟ ଉଚ୍ଚ ଆୟୋଗରୁ ୧୯୦ ଜଣ କର୍ମଚାରୀ ଏବଂ ସେମାନଙ୍କ ପରିବାରଙ୍କୁ ଭାରତ ସ୍ଥାନାନ୍ତର କରାଯାଇଛି । ସୂତ୍ର ମୁତାବକ, ସମସ୍ତ କୂଟନୀତିଜ୍ଞ ବାଂଲାଦେଶରେ ରହି ମିଶନରେ କାର୍ଯ୍ୟ କରୁଛନ୍ତି । ଢାକାରେ ଉଚ୍ଚ ଆୟୋଗଙ୍କ ବ୍ୟତୀତ ଚଟଗାଁଓ, ରାଜଶାହୀ, ଖୁଲନା ଓ ସିଲହେଟରେ ଭାରତର ସହାୟକ ଉଚ୍ଚ ଆୟୋଗ ଏବଂ ବାଣିଜ୍ୟ ଦୂତାବାସ ରହିଛି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।