ଫେବ୍ରୁଆରୀ ୨୦ ପୂର୍ବରୁ ଡେଲିଭରି କରାଇବା ପାଇଁ ଆମେରିକା ହସପିଟାଲରେ ଭାରତୀୟ ମହିଳାଙ୍କ ଲାଇନ୍

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଦ ଗ୍ରହଣ କରିବା ପରେ ଜନ୍ମ ଆଧାରରେ ପିଲାଙ୍କୁ ମିଳୁଥିବା ନାଗରିକତା ପ୍ରଦାନକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପଙ୍କ ଆଦେଶ ଲାଗୁ ହେବା ପାଇଁ ୩୦ ଦିନ ସମୟ ଦିଆଯାଇଛି । ଏହି ଆଦେଶ ଲାଗୁ ହେବା ପରେ ଆମେରିକାରେ ଅବୈଧ ପ୍ରବାସୀ କିମ୍ବା ଭିସାରେ ରହୁଥିବା ଲୋକଙ୍କ ପିଲାକୁ ଆମେରିକାର ନାଗରିକତା ମିଳିବ ନାହିଁ । ଆଉ ଏହି ଘୋଷଣା ଲାଗୁ ହେବା ପୂର୍ବରୁ ଆମେରିକାରେ ସମୟ ପୂର୍ବରୁ ଡେଲିଭରୀ କରାଇବା ପାଇଁ ହସପିଟାଲରେ ଲାଇନ ଲାଗିଛି ।

ଟ୍ରମ୍ପଙ୍କ ଆଦେଶ ଲାଗୁ ହେବା ପାଇଁ ୩୦ ଦିନ ସମୟ ଦିଆଯାଇଛି । ଫେବ୍ରୁଆରୀ ୧୯ରେ ଏହି ସମୟ ସୀମା ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଆମେରିକାରେ ରହୁଥିବା ପ୍ରବାସୀ ତଥା ଶରଣାର୍ଥୀ ମହିଳାମାନେ ପ୍ରସବ କରିଦେବା ଲାଗି ଚାହୁଁଛନ୍ତି ।

ଆମେରିକାରେ ଫେବ୍ରୁଆରୀ ୨୦ ପୂର୍ବରୁ ପିଲା ଜନ୍ମ କରିବାକୁ ଦୌଡ଼ ଆରମ୍ଭ ହୋଇଯାଇଛି । ସମୟ ପୂର୍ବରୁ ସି-ସେକ୍ସନ ବା ସର୍ଜରୀ କରାଇ ଗର୍ଭବତୀ ମହିଳାମାନେ ସେମାନଙ୍କ ପ୍ରସବ କରାଇବାକୁ ଆଗୁଆ ଡାକ୍ତରଖାନାଗୁଡ଼ିକରେ ଦିନ ବୁକିଂ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରେ ଅନେକ ଭାରତୀୟ ରହିଛନ୍ତି ।

ରିପୋର୍ଟ ଅନୁସାରେ, ଆମେରିକାରେ ଅନେକ ଭାରତୀୟ ପ୍ରବାସୀ ମହିଳା ରହିଛନ୍ତି ଯେଉଁମାନେ ୮ କିମ୍ବା ୯ ମାସର ଗର୍ଭବତୀ ଅଛନ୍ତି । ସେମାନେ ମଧ୍ୟ ଫେବ୍ରୁଆରୀ ୨୦ ପୂର୍ବରୁ ପିଲା ଜନ୍ମ କରିଦେବାକୁ ଚାହୁଁଛନ୍ତି । କେତେକ ମହିଳା ୬/୭ ମାସର ଗର୍ଭବତୀ ଥାଇ ବି ସର୍ଜରୀ କରାଇବା ଲାଗି ଡାକ୍ତରଙ୍କୁ ଅନୁରୋଧ କରୁଥିବା ନ୍ୟୁ ଜର୍ସିର ଜଣେ ଡାକ୍ତର ଏସ୍.ଡି ରାମା କହିଛନ୍ତି । ସେମାନେ ସ୍ୱାମୀ, ପରିବାର ସହ ଆସି ଆଗୁଆ ତାରିଖ ବୁକିଂ କରିବାକୁ ଉଦ୍ୟମ କରୁଛନ୍ତି ।

ତେବେ ସମୟ ପୂର୍ବରୁ ପିଲାଙ୍କ ଜନ୍ମ ହେବା ଦ୍ବାରା ପିଲାଙ୍କ ପାଇଁ ସମସ୍ୟା ହୋଇପାରେ । ପିଲାମାନେ ଠିକ ଭାବେ ବିକଶିତ ହୋଇନଥାନ୍ତି, ତେଣୁ ସମୟ ପୂର୍ବରୁ ପିଲାଙ୍କୁ ଜନ୍ମ ଦେବା ଦ୍ବାରା ନ୍ୟୁରୋଲୋଜିକାଲ ସମସ୍ୟା ଦେଖାଦେଇପାରେ ।

ସୂଚନାଯୋଗ୍ୟ, ୧୮୬୮ରେ ଆମେରିକା ସଂସଦରେ ୧୪ତମ ସଂଶୋଧନକୁ ମଞ୍ଜୁରି ମିଳିଥିଲା । ଏଥିରେ ଦର୍ଶାଯାଇଥିଲା ଯେ ଦେଶରେ ଜନ୍ମ ହୋଇଥିବା ସମସ୍ତ ଶିଶୁ ଆମେରିକାର ନାଗରିକ । ଏଥିରେ ଶରଣାର୍ଥୀଙ୍କ ପିଲାଙ୍କୁ ମଧ୍ୟ ନାଗରିକତା ପ୍ରଦାନ ଲାଗି ବ୍ୟବସ୍ଥା ରହିଥିଲା । ଏହାର ଲାଭ ନେଇ ଅନେକ ଗରିବ ତଥା ଯୁଦ୍ଧଗ୍ରସ୍ତ ଦେଶର ଲୋକେ ଆମେରିକାକୁ ଆସୁଥିଲେ ଏବଂ ସେଠାରେ ସନ୍ତାନ ଜନ୍ମ ଦେଉଥିଲେ । ଏହା ଦ୍ୱାରା ସେମାନଙ୍କ ପିଲାଙ୍କୁ ଆମେରିକାର ନାଗରିକତା ମିଳିଯାଉଥିଲା ଏବଂ ପିତାମାତା ହୋଇଥିବାରୁ ସେମାନଙ୍କୁ ମଧ୍ୟ ଆମେରିକାରେ ରହିବା ସହଜ ହୋଇଯାଉଥିଲା । ଆମେରିକାରେ ଶରଣାର୍ଥୀ ସମସ୍ୟା ଜଟିଳ ହେଉଥିବା ଦର୍ଶାଇ ଟ୍ରମ୍ପ୍ ପ୍ରଶାସନ ଏହି ବ୍ୟବସ୍ଥାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

Also Read : ଆମେରିକାରେ ବନ୍ଦ ହେଲା ଜନ୍ମଗତ ଅଧିକାର, ଭାରତକୁ ଏହା କିପରି ପ୍ରଭାବିତ କରିବ?

You might also like