ଗୋଆ: ନୌସେନା ଜାହାଜ ସହ ଧକ୍କା ହେଲା ମତ୍ସ୍ୟଜୀବୀ ଡଙ୍ଗା ‘ମାର୍ଥୋମା’, ୧୧ ଉଦ୍ଧାର, ୨ ନିଖୋଜ

ଗୋଆରେ ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା ‘ମାର୍ଥୋମା’ ଏବଂ ନୌସେନା ଜାହାଜ ମଧ୍ୟରେ ଜୋରଦାର୍ ଧକ୍କା ହୋଇଛି । ଗତକାଲି ସନ୍ଧ୍ୟାରେ ଗୋଆର ଉତ୍ତର-ପଶ୍ଚିମରେ ପାଖାପାଖି ୭୦ ସାମୁଦ୍ରିକ ମାଇଲ୍ ଦୂରତାରେ ଏହି ଦୁର୍ଘଟଣା ଘଟିଛି । ମତ୍ସ୍ୟଜୀବୀ ଡଙ୍ଗାରେ ୧୩ ଜଣ କ୍ରୁ ଥିଲେ, ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବାକି ୨ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜାଖୋଜି ଚାଲିଛି ।

ଏହି ଦୁର୍ଘଟଣା ପରେ ଭାରତୀୟ ନୌସେନା ତୁରନ୍ତ ଏକ ବଡ଼ ଧରଣର ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏଥିରେ ନୌସେନାର ୬ଟି ଜାହାଜ ଏବଂ ଅନେକ ବିମାନ ନିୟୋଜିତ ହୋଇଛି । ଏହା ସହିତ ମୁମ୍ବାଇସ୍ଥିତ ସାମୁଦ୍ରିକ ଉଦ୍ଧାର କାର୍ଯ୍ୟ ସମନ୍ୱୟ କେନ୍ଦ୍ର (ଏମଆରସିସି) ସହଯୋଗରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଛି ।

ଦୁର୍ଘଟଣା ପରେ ଭାରତୀୟ ନୌସେନା ନିକଟରେ ଥିବା ଜାହାଜ ଏବଂ ବିମାନକୁ ତୁରନ୍ତ ଘଟଣାସ୍ଥଳକୁ ପଠାଇଥିଲା, ଯଦ୍ଦ୍ଵାରା ଲୋକମାନଙ୍କୁ ଯଥାଶୀଘ୍ର ରେସକ୍ୟୁ କରାଯାଇ ପାରିବ ।

ଉଦ୍ଧାର କାର୍ଯ୍ୟରେ ନୌସେନା ଜାହାଜ ଏବଂ ବିମାନ ବ୍ୟତୀତ ଅନ୍ୟାନ୍ୟ ଉତ୍ସ ମଧ୍ୟ ସାମିଲ ହୋଇଛି । ଗୋଆ ଏବଂ ମୁମ୍ବାଇର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ତତ୍ପରତାର ସହ ରେସକ୍ୟୁ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ତେବେ ଏହି ଧକ୍କା କିପରି ହେଲା, ଏହାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ।