କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରିଲେ ଭାରତୀୟ ମୂଳର ଅନୀତା ଆନନ୍ଦ

ଭାରତୀୟ ମୂଳର ଅନୀତା ଆନନ୍ଦ କାନାଡାର ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରିଛନ୍ତି । ସେ ଏକ ବୟାନ ଜାରି କରି କହିଛନ୍ତି ଯେ ଓଣ୍ଟାରିଓର ଓକଭିଲେରୁ ସାଂସଦ ଭାବରେ ସେ ଦେଶରେ ଆଗାମୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ଜଷ୍ଟିନ୍ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ତାଙ୍କର ବିବୃତ୍ତି ଆସିଛି ।

ଅନୀତା ଆନନ୍ଦଙ୍କୁ ଜଷ୍ଟିନ୍ ଟ୍ରୁଡୋଙ୍କ ରିପ୍ଲେସମେଣ୍ଟ ରୂପେ ଦେଖାଯାଉଥିଲା । କିନ୍ତୁ ଏହି ଘୋଷଣା ପରେ ସେ ଦୌଡ଼ରୁ ବାହାରି ଯାଇଛନ୍ତି । ତାଙ୍କ ପୂର୍ବରୁ ଏହି ରେସରେ ଥିବା ଅନ୍ୟ ଦୁଇ ନେତା ସେମାନଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ ।

ଅନୀତା ଆନନ୍ଦ ‘ଏକ୍ସ’ରେ ନିଜ ନିଷ୍ପତ୍ତି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ସେ ଓଣ୍ଟାରିଓର ଓକଭିଲେରୁ ସାଂସଦ ଭାବରେ ପୁନଃ ନିର୍ବାଚନ ଲଢ଼ିବେ ନାହିଁ । ତାଙ୍କ ବିବୃତ୍ତିରେ ସେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କୁ ସାଂସଦ ଭାବରେ ଲିବରାଲ୍ ଟିମକୁ ସ୍ୱାଗତ କରିଥିବାରୁ ଏବଂ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବିଭାଗ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ।

ଏହାପରେ ସେ କାନାଡାର ହାଉସ ଅଫ୍ କମନ୍ସକୁ ତାଙ୍କୁ ଚୟନ କରିଥିବାରୁ ଓକଭିଲେର ଲୋକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆନନ୍ଦ କହିଛନ୍ତି କି, ଏମାନେ ବହୁତ ବଢ଼ିଆ ଲୋକ, ଯେଉଁଠି ମୁଁ ଓ ମୋ ସ୍ୱାମୀ ଗତ ୨୦ ବର୍ଷ ଆମର ଚାରି ପିଲାଙ୍କୁ ପାଳିଥିଲୁ ।

ତାମିଲ ବାପା ଓ ପଞ୍ଜାବୀ ମା’ଙ୍କଠାରୁ ଜନ୍ମିତ ୫୭ ବର୍ଷୀୟ ଅନୀତା ଆନନ୍ଦ ଟ୍ରୁଡୋଙ୍କ ମନ୍ତ୍ରୀମଣ୍ଡଳରେ ସାର୍ବଜନିକ ସେବା ଓ କ୍ରୟ ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ତାଙ୍କୁ ୨୦୨୪ରେ ଟ୍ରେଜେରୀ ବୋର୍ଡର ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା ।

୨୦୧୯ରେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଆନନ୍ଦ ଲ’ ଅଭ୍ୟାସ କରୁଥିଲେ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ । ସେ ୟେଲ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ଅଧ୍ୟାପକ ଏବଂ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ଆଇନ ପ୍ରଫେସର ଥିଲେ ।