VIDEO: ଡୋନାଲ୍ଡ ଟ୍ରମ୍ପଙ୍କୁ ‘ନମସ୍ତେ’ କହିଲେ ଭାରତୀୟ ମୂଳର ଦମ୍ପତି, ହୃଦୟକୁ ଛୁଇଁଲା କଥାବାର୍ତ୍ତା

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତୀୟ ମୂଳର ଜଣେ ଦମ୍ପତିଙ୍କ କଥାବାର୍ତ୍ତା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ରିପବ୍ଲିକାନ ରାଷ୍ଟ୍ରପତି ପଦର ପ୍ରାର୍ଥୀ ଟ୍ରମ୍ପ ରବିବାର ପେନ୍ସିଲଭାନିଆରେ ନିର୍ବାଚନ ପ୍ରଚାର କରିଥିଲେ । ଏହି ସମୟରେ ସେ ମ୍ୟାକଡୋନାଲ୍ଡସ୍ ଯାଇଥିଲେ ଏବଂ ସେଠାରେ ଫ୍ରେଞ୍ଚ ଫ୍ରାଇଜ୍ ପରସିଥିଲେ ।

ଫ୍ରାଇଜ୍ ପରସିବା ଏବଂ ଗ୍ରାହକଙ୍କ ସହ କଥାବାର୍ତ୍ତା ବେଳେ ସେ ଧଳା ଶାର୍ଟ ଏବଂ ଲାଲ୍ ଟାଏ ଉପରେ କଳା ଓ ହଳଦିଆ ରଙ୍ଗର ଆପ୍ରନ୍ ପିନ୍ଧିଥିଲେ । ଟେକଆଉଟ କାଉଣ୍ଟରରେ କାମ କରିବା ସମୟରେ ଜଣେ ଭାରତୀୟ ମୂଳର ଦମ୍ପତି ଆସି ତାଙ୍କୁ ‘ନମସ୍ତେ’ କହିବା ସହିତ ହାତ ମିଳାଇଥିଲେ ।

ଯେମିତି ହିଁ ପୂର୍ବତନ ରାଷ୍ଟ୍ରପତି ଭାରତୀୟ ନାଗରିକଙ୍କୁ ନିଜର ଅର୍ଡର ଦେଇଥିଲେ, ଗ୍ରାହକ ଦମ୍ପତି ଉତ୍ସାହିତ ହୋଇ କହିଥିଲେ, ‘ଧନ୍ୟବାଦ, ମିଷ୍ଟର ପ୍ରେସିଡେଣ୍ଟ’ । ଭାରତୀୟ ବ୍ୟକ୍ତି ଟ୍ରମ୍ପଙ୍କୁ କହିଥିଲେ, ‘ଆପଣ ଆମ ଭଳି ସାଧାରଣ ଲୋକଙ୍କ ପାଇଁ ଏଠାକୁ ଆସିବା ସମ୍ଭବ କରିଛନ୍ତି’ ।

ବ୍ୟକ୍ତି ଜଣକ ଲଗାତାର ନିଜର କୃତଜ୍ଞତା ଜଣାଇ ଟ୍ରମ୍ପଙ୍କୁ ‘ମିଷ୍ଟର ପ୍ରେସିଡେଣ୍ଟ’ କହି ଚାଲିଥିଲେ । ତାଙ୍କ ପାର୍ଶ୍ୱରେ ବସିଥିବା ମହିଳା ମଧ୍ୟ ମଜାଳିଆ ଢଙ୍ଗରେ କହିଥିଲେ, ‘ଆମ ପାଇଁ ଗୁଳି ଖାଇବା ପାଇଁ ଧନ୍ୟବାଦ’ ।

‘ଏକ୍ସ’ରେ ଭିଡିଓ ସେୟାର କରି ହଜ୍ ଟ୍ୱିନ୍ସ ନାମକ ୟୁଜର ଲେଖିଛନ୍ତି, ‘ଏହି ଭାରତୀୟ ବ୍ୟକ୍ତିଙ୍କୁ ଶୁଣନ୍ତୁ, ଯିଏ ଗାଡ଼ି ଚଲାଉଛନ୍ତି । ସମସ୍ତ ଆମେରିକୀୟ ଟ୍ରମ୍ପଙ୍କୁ ଭଲ ପାଉଛନ୍ତି’ । ରବିବାର ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଏ ପର୍ଯ୍ୟନ୍ତ ୮ ମିଲିୟନ ଥର ଦେଖାଯାଇ ସାରିଲାଣି ।

ଜଣେ ୟୁଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଏହି ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ବହୁତ ସତ୍ୟବାଦୀ । ସେ ସେମାନଙ୍କୁ ସବୁବେଳେ ମନେ ରଖିବେ’ । ଆଉ ଜଣେ ଲେଖିଛନ୍ତି, ‘ଏହା ବହୁତ ସୁନ୍ଦର ଏବଂ ମୂଲ୍ୟବାନ । ଏହା ମୋତେ କାନ୍ଦିବାକୁ ବାଧ୍ୟ କରିଦେଉଛି’ ।