ବ୍ରିଟେନ ହସ୍ପିଟାଲରେ ଭାରତୀୟ ମୂଳ ନର୍ସଙ୍କ ଉପରେ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ, ଅଭିଯୁକ୍ତ ଗିରଫ

ବ୍ରିଟେନରେ ଭାରତୀୟ ମୂଳ ନର୍ସଙ୍କୁ ମରଣାନ୍ତକ ଆକ୍ରମଣ । ଉତ୍ତର-ପଶ୍ଚିମ ବ୍ରିଟେନର ଗ୍ରେଟର ମଞ୍ଚେଷ୍ଟରରେ ଥିବା ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି । ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ନର୍ସଙ୍କ ଉପରେ କଇଁଚିରେ ଆକ୍ରମଣ କରାଯାଇଛି । ଗତ ଶନିବାର ନାଇଟ୍ ସିଫ୍ଟ ବେଳେ ଏହି ଘଟଣା ଘଟିଥିଲା । ଏଥିରେ ନର୍ସ ଜଣକ ଗୁରୁତର ଆହତ ହୋଇଛନ୍ତି ।

ମଞ୍ଚେଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ନର୍ସଙ୍କ ନାମ ଅଚମ୍ମା ଚେରିୟନ ବୋଲି କୁହାଯାଇଛି । ଏହି ଘଟଣାରେ ୩୭ ବର୍ଷୀୟ ଅଭିଯୁକ୍ତ ରୁମନ ହକଙ୍କୁ ଗିରଫ କରାଯାଇଛି । ଗ୍ରେଟର ମଞ୍ଚେଷ୍ଟର ପୋଲିସ କହିଛି ଯେ ହକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଧାରୁଆ ଅସ୍ତ୍ର ରଖିବା ନେଇ ଅଭିଯୋଗ ହୋଇଛି । ଆସନ୍ତା ମାସରେ ତାଙ୍କୁ ମଞ୍ଚେଷ୍ଟର କ୍ରାଉନ୍ କୋର୍ଟରେ ହାଜର ପାଇଁ ରିମାଣ୍ଡରେ ନିଆଯାଇଛି ।

ପୀଡିତା ନର୍ସ ଜଣେ ୫୦ ବର୍ଷୀୟା ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧୧ଟା ବେଳେ ନର୍ସ ଜଣକ ହସ୍ପିଟାଲରେ ନାଇଟ୍ ସିଫ୍ଟରେ ଥିଲେ । ପାଖାପାଖି ୧୦ ବର୍ଷ ହେବ ସେ ଏହି ହସ୍ପିଟାଲରେ କାମ କରୁଛନ୍ତି । କୁହାଯାଉଛି ଯେ ଅଭିଯୁକ୍ତ ଜଣକ ଦୀର୍ଘ ସମୟ ଧରି ମେଡିକାଲ ଯାଞ୍ଚ ପାଇଁ ଅପେକ୍ଷା କରି ରହିବା ପରେ ରାଗିଯାଇଥିଲେ, ଯାହାଫଳରେ ସେ ନର୍ସଙ୍କୁ ଆକ୍ରମଣ କରିଥିଲେ ।

ଗ୍ରେଟର ମଞ୍ଚେଷ୍ଟର ପୋଲିସର ଓଲ୍ଡହେମ୍ ଜିଲ୍ଲା ଡିଟେକ୍ଟିଭ ସୁପରିଣ୍ଟେଣ୍ଡେଣ୍ଟ ମ୍ୟାଟ ୱାକର କହିଛନ୍ତି, ଚିକିତ୍ସାଧୀନ ନର୍ସଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ । ଏହି କଠିନ ସମୟରେ ତାଙ୍କୁ, ତାଙ୍କ ପରିବାର ଏବଂ ସହକର୍ମୀମାନଙ୍କୁ ସମର୍ଥନ ଦେବା ଆମର ପ୍ରାଥମିକତା ।

ଘଟଣାକୁ ନେଇ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରୀ ୱେସ୍ ଷ୍ଟ୍ରିଟିଙ୍ଗ୍ ମଧ୍ୟ ସୋସିଆଲ ମିଡିଆରେ ନିଜର ଦୁଃଖ ବ୍ୟକ୍ତ କରି କହିଛନ୍ତି, ଓଲ୍ଡହେମ୍ ହସ୍ପିଟାଲରେ ଘଟିଥିବା ଏହି ଘଟଣାରେ ମୁଁ ଆହତ ନର୍ସଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

You might also like