ଗଲ୍ଫ ଏୟାର ବିମାନରେ ବୈଷୟିକ ତ୍ରୁଟି, ୨୦ ଘଣ୍ଟା ହେଲା ଫସିଛନ୍ତି ଭାରତୀୟ ଯାତ୍ରୀ

କୁଏତ୍ ବିମାନବନ୍ଦରରେ ଫସିଛନ୍ତି ଅନେକ ଭାରତୀୟ ଯାତ୍ରୀ । ମୁମ୍ବାଇରୁ ମାଞ୍ଚେଷ୍ଟର ଯାଉଥିବା ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ପ୍ରାୟ ୨୦ ଘଣ୍ଟା ହେବ କୁଏତ୍ ବିମାନବନ୍ଦରରେ ଫସି ରହିଛନ୍ତି ଭାରତୀୟ ଯାତ୍ରୀ । ବିମାନ ଇଂଜିନରେ ନିଆଁ ଲାଗିଯିବାରୁ କୁଏତ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ । ଭାରତୀୟ ଯାତ୍ରୀଙ୍କ ସହିତ ଅନେକ ଯାତ୍ରୀ ଫସିଛନ୍ତି । ଫସିଥିବା ଯାତ୍ରୀଙ୍କ ସହାୟତା ପାଇଁ ଭାରତୀୟ ଦୂତାବାସ ତତ୍ପରତା ଦେଖାଇଛି ।

ଗଲ୍ଫ ଏୟାର (Gulf Air)ର ଯାତ୍ରୀମାନେ କୁଏତ୍ ବିମାନବନ୍ଦରର ଅଧିକାରୀଙ୍କ ସହ ଏନେଇ ଯୁକ୍ତିତର୍କ କରୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏକ ଭିଡିଓରେ ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ଆମକୁ ଏଠାରେ ଜାଣିଶୁଣି ହଇରାଣ କରାଯାଉଛି । ଏଠାରେ କେବଳ ୟୁରୋପ, ୟୁକେ ଓ ଆମେରିକା ଯାତ୍ରୀଙ୍କୁ ବିଶ୍ରାମ କରିବାକୁ ସ୍ଥାନ ମିଳୁଛି ବୋଲି ଭାରତୀୟ ଯାତ୍ରୀ ଅଭିଯୋଗ କରିଛନ୍ତି ।

ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଫସିଥିବା ଯାତ୍ରୀଙ୍କୁ ସହାୟତା କରିବା ପାଇଁ ଭାରତୀୟ ଦୂତାବାସ ତତ୍ପରତା ଦେଖାଇଛି । ଭାରତୀୟ ଯାତ୍ରୀଙ୍କୁ ସୁବିଧା ଦେବା ପାଇଁ ଟିମ ବିମାନବନ୍ଦରରେ ପହଞ୍ଚିଛି ।  ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କୁ କୁଏତ ଏୟାରପୋର୍ଟର ଦୁଇଟି ଗେଷ୍ଟ ହାଉସରେ ରଖାଯାଇଛି । ସେଠାରେ ଯାତ୍ରୀଙ୍କୁ ଖାଇବା ଏବଂ ପାଣି ଯୋଗାଯାଇଛି ।